ବାଲେଶ୍ବର: ହ୍ପାଟ୍‌ସଆପ୍‌, ଟେଲିଗ୍ରାମ ଆଦି ସୋସିଆଲ୍‌ ସାଇଟ୍‌ଗୁଡ଼ିକରେ ଖୋଲିଥିବା ଅନ୍‌ଲାଇନ୍‌ ଷ୍ଟଡି ଗ୍ରୁପ୍‌ ଗୁଡ଼ିକରେ ବିଭିନ୍ନ ନିଯୁକ୍ତି ବିଜ୍ଞାପନ ଦେଇ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରୁଥିଲେ ଦଲାଲ। ପରେ ସେମାନଙ୍କୁ ନିଯୁକ୍ତି ପରୀକ୍ଷାରେ ପାସ୍‌ କରାଇ ଦେବାର ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟୁଥିଲେ। ବାଲେଶ୍ବର ପୁଲିସ ଦ୍ବାରା ପର୍ଦ୍ଦାଫାସ ହୋଇଥିବା ଓଏସ୍‌ଏସ୍‌ସି କନିଷ୍ଠଯନ୍ତ୍ରୀ (ମେନ୍‌) ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଜି ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।

Advertisment

ଶନିବାର ଅପରାହ୍‌ଣରେ ବାଲେଶ୍ବର ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଓଏସ୍‌ଏସ୍‌ସି କନିଷ୍ଠଯନ୍ତ୍ରୀ (ମେନ୍‌) ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଗିରଫ ୮ ଜଣଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ଦୁଇଜଣ ସରକାରୀ ଶିକ୍ଷକ ଅଜୟ କୁମାର ବିଶ୍ବାଳ (୪୩) ଓ ବିଜୟ କୁମାର ମଲ୍ଲିକ (୨୫) ଅଛନ୍ତି। ଅନ୍ୟ ଅଭିଯୁକ୍ତମାନେ ହେଲେ ଶାନ୍ତନୁ ମିଶ୍ର (୨୯), ସନ୍ଦୀପ କୁମାର ମହାନ୍ତି (୨୭), ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା (୫୫), ଅଜୟ କୁମାର ବିଶ୍ବାଳ (୪୩), ରାଜୀବଲୋଚନ ସାହୁ (୩୩) ଓ ସପନ କୁମାର ରାଉତ (୩୩)। ସେମାନଙ୍କଠାରୁ ୧୦ଟି ମୋବାଇଲ, ୩୭ ହଜାର ୭୦୦ ଟଙ୍କା ଓ ଗୋଟିଏ ଟାବ୍‌ଲେଟ୍‌ ଜବତ କରାଯାଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ଏହି ମାମଲାରେ ପଶ୍ଚିମବଙ୍ଗ ସୀମାନ୍ତରୁ ୯୨ ପରୀକ୍ଷାର୍ଥୀଙ୍କ ସହ ୯ ଜଣଙ୍କୁ ପୁଲିସ ଗିରଫ କରିଥିଲା। ପରେ ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ବିହାର ପାଟନାସ୍ଥିତ ଆକାଉଣ୍ଟ୍‌ସ ଜେନେରାଲ ଅଫିସର ଜୁଡିସିଆଲ ଆକାଉଣ୍ଟାଣ୍ଟ ବିଶାଲ କୁମାର ଚୌରାସିଆ, ତାର ସାନଭାଇ, ପ୍ରଶ୍ନପତ୍ର ଛପାଯାଇଥିବା ରାଜ୍ୟ ବାହାରର ଏକ ପ୍ରିଣ୍ଟିଂ ପ୍ରେସ୍‌ର ଜଣେ କର୍ମଚାରୀ, କନ୍ଧମାଳ ଓ ଯାଜପୁର ଜିଲ୍ଲାର ୨ ଜଣ ସରକାରୀ ଶିକ୍ଷକଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା।

ମାଷ୍ଟର୍‌ମାଇଣ୍ଡ ବିଶାଲ କୁମାର ଓ ୨ ଶିକ୍ଷକ କନ୍ଧମାଳର ଗୋବିନ୍ଦ ତ୍ରିପାଠୀ ଓ ଯାଜପୁରର ସୁଶାନ୍ତ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସ୍‌ପି ସମ୍ପୃକ୍ତ ଜିଲ୍ଲାର ଡିଇଓଙ୍କୁ ଚିଠି ଲେଖିବା ସହ ଉକ୍ତ ରାକେଟ୍‌ ସହ ଡିଲ୍‌ରେ ଥିବା ପରୀକ୍ଷାର୍ଥୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଓଏସ୍‌ଏସ୍‌ସିକୁ ସୁପାରିସ୍‌ କରିଥିଲେ। ତୃତୀୟ ପର୍ଯ୍ୟାୟରେ ଆଜି ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ମଧ୍ୟରୁ ୨ ସରକାରୀ ଶିକ୍ଷକଙ୍କ ବିରୋଧ​ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲେଶ୍ବର ଡିଇଓଙ୍କୁ ଚିଠି ହୋଇଛି। ଏଥିସହ ଅଭିଯୁକ୍ତମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍‌ଗୁଡ଼ିକୁ ଫ୍ରିଜିଂ କରାଯାଇଛି। ଅଧିକ ତଦନ୍ତ ପାଇଁ ମାଷ୍ଟରମାଇଣ୍ଡ୍‌ ବିଶାଲ କୁମାର ଚୌରାସିଆ, ପ୍ରିଣ୍ଟିଂ ପ୍ରେସ୍‌ କର୍ମଚାରୀ ବିରେନ୍ଦ୍ର ସିଂ, ବିଜେନ୍ଦ୍ର କୁମାର, ପଟ୍ଟା ସୁନିଲ, ସୁଶାନ୍ତ କୁମାର ସାହୁ ଓ ଗୋବିନ୍ଦ ତ୍ରିପାଠୀଙ୍କୁ ଆଉ ୭ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଛି। ଏହି ଘଟଣାରେ ସମୁଦାୟ ୨୫ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।