ବାଲେଶ୍ୱର: ଓଏସ୍‌ଏସ୍‌ସି କନିଷ୍ଠ ଯନ୍ତ୍ରୀ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା ୯ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିଶ୍ୱଜିତ ଦାସ। ସେମାନେ ହେଲେ, ସପନ କୁମାର ରାଉତ, ରାଜୀବଲୋଚନ ସାହୁ, ଶାନ୍ତନୁ ମିଶ୍ର, ବିକାଶ କୁମାର, ସନ୍ଦୀପ କୁମାର ମହାନ୍ତି, ନିରଞ୍ଜନ ବେହେରା, ବିଜୟ କୁମାର ମଲ୍ଲିକ, ଅଜୟ କୁମାର ବିଶ୍ବାଳ ଓ ପ୍ରଦୀପ ଶତପଥୀ।
ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବାଲେଶ୍ବର ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ୨୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଉପରୋକ୍ତ ୯ଜଣ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିଶ୍ୱଜିତ ଦାସଙ୍କ ଅଦାଲତରେ ଜାମିନ୍‌ ଆବେଦନ କରିଥିଲେ। ମଙ୍ଗଳବାର ଶୁଣାଣି ହୋଇଥିବା ବେଳେ ମାମଲାର ତଦନ୍ତ ଓ ଗୁରୁତ୍ୱ ଦୃଷ୍ଟିରୁ ସରକାରୀ ଓକିଲ ଅଭିଯୁକ୍ତମାନଙ୍କ ଜାମିନକୁ ଦୃଢ଼ ବିରୋଧ କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସକୁ ସଂପୂର୍ଣ୍ଣ କେସ୍‌ ଡାଏରି ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମାମଲାରେ କିଛି ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଥିଲେ।