ଓଏସ୍ଏସସି ନିଯୁକ୍ତି ପରୀକ୍ଷା ଜାଲିଆତି ଜଳଜଳ!

୯୧ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ମିଳିଥିଲା ୩୨

ଆରଟିଆଇରେ ତଥ୍ୟ ମିଳିବା ପରେ ଅଭିଯୋଗକୁ ଚାପି ଦିଆଯାଇଥିଲା
ଭିଜିଲାନ୍ସ ଖୋଲିପାରିବ କି ରହସ୍ୟ?
ଆଜି ହେବ ରିମାଣ୍ଡ ଆବେଦନ

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍(ଓଏସ୍ଏସସି)ର ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ଜବତ ଆବେଦନକାରୀଙ୍କ ପୁଳା ପୁଳା ଆଡମିଟ୍ କାର୍ଡରୁ କେତେଜଣ ଚାକିରି ପାଇଛନ୍ତି? ଯଦି ପାଇଛନ୍ତି ସେମାନେ କେଉଁଠି କାର୍ଯ୍ୟରତ ଅଛନ୍ତି? ଦୁଇ ଦିନରେ ବିରଞ୍ଚି ଓ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ଯେଉଁ ୫ ଲକ୍ଷ ଓ ୪ ଲକ୍ଷ ଟଙ୍କା ଜମା ହୋଇଛି ତାହା ପରୀକ୍ଷାର୍ଥୀଙ୍କର ନୁହେଁ ତ? ଏମିତି ଏକାଧିକ ପ୍ରଶ୍ନ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ନିଯୁକ୍ତି ପରୀକ୍ଷା ଜାଲିଆତିର ସନ୍ଦେହକୁ ଆହୁରି ଘନୀଭୂତ କରିଛି। ଓଏସ୍ଏସସି ପରୀକ୍ଷାର୍ଥୀଙ୍କଠାରୁ ବିରଞ୍ଚି ଲାଞ୍ଚ ନେବା ନେଇ ଭିଜିଲାନ୍ସ ପାଖରେ ଯେଉଁ ଅଭିଯୋଗ ପହଞ୍ଚିଥିଲା ତାହାର ପ୍ରମାଣ ସଂଗ୍ରହରେ ଲାଗି ପଡ଼ିଛି ତଦନ୍ତକାରୀ ଟିମ୍। ଗତ ଦୁଇ ଦିନ ଧରି ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ନିକାଶ ପରେ ଆସନ୍ତାକାଲି ଠାରୁ ନିଯୁକ୍ତି ଜାଲିଆତି ଅଭିଯୋଗର ଖୋଳତାଡ଼ ଆରମ୍ଭ କରିବ ଭିଜିଲାନ୍ସ ଟିମ୍। ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଘନ ଘନ ଜେରା କରିବା ସହ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି। ସେହିପରି ବିରଞ୍ଚି, ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ବିଗତ ୧୦ ବର୍ଷର ବ୍ୟାଙ୍କ ଟ୍ରାନଜାକସନ୍ ମଧ୍ୟ ଯାଞ୍ଚ କରିବ। ଚାକିରି ଆଶାୟୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି କି ନାହିଁ ତାହା ଜଣାପଡ଼ିବ। ଆଉ କେଉଁ ଉତ୍ସରୁ ଆୟର ସୂତ୍ର ରହିଛି ତାହା ମଧ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି।

୨୦୧୨-୧୩ ମସିହାରେ ସବ୍ଇନ୍ସପେକ୍ଟର ସମେତ ଏକାଧିକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ଚାକିରି ଆଶାୟୀମାନେ ଓଏସ୍ଏସସି ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ କୌଣସି ଲାଭ ହୋଇ ନ ଥିଲା। ଏକାଧିକ ଥର ବିଧାନସଭା ଅଧିବେଶନ ସମୟରେ ଲୋୟର ପିଏମଜିରେ ମଧ୍ୟ ଚାକିରି ଆଶାୟୀଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ବୋଲି ସେତେବେଳେ ନେତୃତ୍ବ ନେଉଥିବା ସର୍ବେଶ୍ବର ବିଶ୍ବାଳ କହିଛନ୍ତି।

ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିବା ଆଉ ଏକ ତଥ୍ୟ ନିଯୁକ୍ତି ଜାଲିଆତିକୁ ସବୁ ଦିଗରୁ ଇଙ୍ଗିତ କରୁଛି। ଜଣେ ପରୀକ୍ଷାର୍ଥୀ ପାଇଥିବା ନମ୍ବର ଓ ଆରଟିଆଇରେ ମିଳିଥିବା ଉତ୍ତର ଖାତାରେ ତାଳମେଳ ନ ଥିଲା। ୨୦୧୧ ଜୁନରେ ଅବକାରୀ ସବଇନ୍ସପେକ୍ଟର ପରୀକ୍ଷା ଲାଗି ଓଏସ୍ଏସସି ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିବର୍ଷ ଅକ୍ଟୋବର ୧୬ ତାରିଖରେ ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୨୨ରେ ରେଜଲ୍ଟ ବାହାରିଥିଲା। କିନ୍ତୁ ଏଥିରେ ତ୍ରୁଟି ଥିବା ଦର୍ଶାଯାଇ ଡିସେମ୍ବର ୩ ତାରିଖରେ ପୁଣି ଥରେ ରେଜଲ୍ଟ ବାହାରିଥିଲା। ୨୦୧୨ ଜାନୁଆରୀ ୧୫ ତାରିଖରେ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଫେବ୍ରୁଆରି ୧୫ରେ ପରୀକ୍ଷା ଫଳ ବାହାରିଥିଲା। ମାର୍ଚ୍ଚ ୨୨ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ପିପିଲି ଅଞ୍ଚଳର ପରୀକ୍ଷାର୍ଥୀ ସୁଧୀର ରଞ୍ଜନ ସାହୁଙ୍କର ସାଧାରଣ ବିଜ୍ଞାନରେ ୩୨ ମାର୍କ ରହିଥିଲା। ସେ ଚାକିରିରୁ ବଞ୍ଚିତ ହୋଇଥିଲେ। କିନ୍ତୁ ମାର୍କକୁ ନେଇ ତାଙ୍କର ସନ୍ଦେହ ହୋଇଥିଲା। ସେ ଆରଟିଆଇରେ ନିଜର ଓଏମ୍ଆର ଉତ୍ତରଖାତା ମାଗିଥିଲେ। ତାଙ୍କର ୯୧ ମାର୍କ ଥିବା ସେ ଉତ୍ତର ଖାତାରୁ ଜାଣିବାକୁ ପାଇଥିଲେ। ଏ ନେଇ ସେ ଓଏସ୍ଏସସିରେ ଅଭିଯୋଗ କରିଥିଲେ। ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା। କିନ୍ତୁ ତଦନ୍ତ କେଉଁ ଯାଏ ଗଲା ତାହା ଜଣାପଡ଼ି ନ ଥିଲା।

ଏହି ନିଯୁକ୍ତି ପ୍ରକ୍ରିୟାରେ ସେତେବେଳେ ଜାଲିଆତି ହୋଇଥିଲା କି? ନ ହେଲେ ୯୧ ମାର୍କ ରଖୁଥିବା ପରୀକ୍ଷାର୍ଥୀଙ୍କର କେମିତି ୩୨ ରହିଥିଲା? ଓଏମ୍ଆର୍ ସିଟ୍ ଉତ୍ତରଖାତରେ ମୂଲ୍ୟାୟନରେ ତ୍ରୁଟି ହେଲା କେମିତି? ନା ଅନ୍ୟ ଜଣଙ୍କୁ ଚାକିରି ଦେବା ପାଇଁ ଏହି କାରସାଦି କରାଯାଇଥିଲା? ଏମିତି ସଙ୍ଗିନ ମାମଲାର କାହିଁକି ନିରପେକ୍ଷ ତଦନ୍ତ କରାଯାଇ ନ ଥିଲା? ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦିଆଯାଇଥିଲା କି? ଆଉ ଏବେ ବିରଞ୍ଚିଙ୍କ ଘରୁ ପୁଳା ପୁଳା ଆଡମିଟ୍ କାର୍ଡ ମିଳିବା ଏବଂ ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ନେବା ଭିଜିଲାନ୍ସକୁ ତଥ୍ୟ ମିଳିବା ପରେ ନିଯୁକ୍ତି ଦୁର୍ନୀତି ହୋଇଥିବା କୁହାଯାଉଛି। ଯଦି ସେତେବେଳେ ଏହି ଘଟଣାର ପର୍ଦ୍ଦାଫାସ୍ ହୋଇଥାନ୍ତା ତାହେଲେ ଦୁର୍ନୀତିର ପର୍ଦ୍ଦାଫାସ୍ ସହ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲିପାରିଥାନ୍ତା ବୋଲି ସେତେବେଳର ଚାକିରି ଆଶାୟୀମାନେ କହିଛନ୍ତି। ଅପରପକ୍ଷରେ ସବୁ ପ୍ରକାର ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ଗତକାଲି ଓଏସ୍ଏସସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର