ରବିବାରିଆ ଶିକ୍ଷାଦାନକୁ ଓଷ୍ଟାର ବିରୋଧ

ଶିକ୍ଷକଙ୍କ ମୌଳିକ ଅଧିକାର ଓ ଶ୍ରମ ଆଇନ୍‌ ଉଲ୍ଲଂଘନ ହେଉଛି

ଭୁବନେଶ୍ବର : ରବିବାରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ କହି ରାଜ୍ୟ ସରକାର ଶିକ୍ଷକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଛନ୍ତି। ୧୮୮୬ରୁ ନିର୍ଦ୍ଧାରିତ ହୋଇଥିବା ଶ୍ରମ ଆଇନର ଉଲଙ୍ଘନ କରାଯାଉଥିବା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି। ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ କୋଭିଡ୍‌ କଟକଣା କୋହଳ ହେବା ପରେ ଜାନୁଆରି ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟରେ ପାଠ୍ୟପୁସ୍ତକର ସଂଶୋଧିତ ପାଠ୍ୟକ୍ରମ ଶେଷ କରିବା ପାଇଁ ଶହେ ଦିନର ଶିକ୍ଷାଦାନ ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ମଧ୍ୟ ଏହାକୁ ଆହ୍ୱାନ ଭାବେ ଗ୍ରହଣ କରି ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ସୂଚାରୁରୂପେ ଶିକ୍ଷାଦାନ କରୁଛନ୍ତି। ଜଣେ ଶିକ୍ଷକ ଦିନକୁ ୬ଟିରୁ ଅଧିକ ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ଏଥିସହ ଆସନ୍ତା ୮ ତାରିଖଠାରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୮ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଯଦିଓ ଶିକ୍ଷକଙ୍କୁ ପର୍ଯ୍ୟାୟକ୍ରମେ ଆସିବାକୁ କୁହାଯାଇଛି, କିନ୍ତୁ ବାସ୍ତବରେ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ସମସ୍ତଙ୍କୁ ଉକ୍ତ ସମୟ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପଡ଼ିବ। ଏହାବ୍ୟତୀତ ପ୍ରଧାନ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସକାଳ ୭ଟା ୩୦ରୁ ବିଦ୍ୟାଳୟକୁ ଆସି ଶ୍ରେଣୀକକ୍ଷକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଜଣେ ଶିକ୍ଷକର ମାନସିକ ଓ ଶାରୀରିକ ଅବସ୍ଥା ଉପରେ ଏହା କେତେ ଦୂର ପ୍ରଭାବ ପକାଇବ, ତାହାକୁ ରାଜ୍ୟ ସରକାର ଓ ପ୍ରଶାସନ ବୁଝିବାକୁ ନାରାଜ। ଏ ବିଷୟରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି।

ଜଣେ ଶିକ୍ଷକ କିମ୍ବା କର୍ମଚାରୀ ୬ ଦିନ କାର୍ଯ୍ୟ କଲା ପରେ ଗୋଟିଏ ଦିନ ଛୁଟି ନେବା ମୌଳିକ ଅଧିକାର। ଏହାକୁ କ୍ଷୁଣ୍ଣ କରିବା ସରକାରଙ୍କ ଅଧିକାର ପରିସରଭୁକ୍ତ ନୁହେଁ। ସେପଟେ ଗତ ୯ମାସ ଧରି ଶିକ୍ଷକ ଓ କର୍ମଚାରୀ ରାଜ୍ୟ ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ସୂଚାରୁରୂପେ ପାଳନ କରିଛନ୍ତି। ପରୀକ୍ଷା, ଖାତା ମୂଲ୍ୟାୟନ, କରୋନା ସଂକ୍ରମିତଙ୍କୁ ଚିହ୍ନଟ, କ୍ୱାରାଣ୍ଟିନ୍‌‌ରେ ପ୍ରବାସୀଙ୍କୁ ଜଗିବା, ପୁସ୍ତକ, ଚାଉଳ, ପୋଷାକ ଆଦି ବଣ୍ଟନ, କରୋନା ସ୍ୱାବ୍ ସଂଗ୍ରହରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ପରି ବିଭିନ୍ନ କାର୍ଯ୍ୟ ସହ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ଏହାପରେ ବି ରବିବାରରେ ଶିକ୍ଷାଦାନ ପାଇଁ ବାଧ୍ୟ କରି ସରକାର ଶିକ୍ଷକଙ୍କୁ ଗୋତି ଶ୍ରମିକ ଭଳି ବ୍ୟବହାର କରୁଛନ୍ତି ବୋଲି ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରବିବାରିଆ ପାଠପଢ଼ା ନେଇ ଓଷ୍ଟାର ସଦସ୍ୟମାନେ ମୋ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ସହ ଆଲୋଚନା ବି ହୋଇଛି। ଯେହେତୁ କରୋନା ସମୟ ‌ ଦେଇ ଆମେ ଗତି କରୁଛୁ, ତେଣୁ ୧୦୦ ଦିନ ମଧ୍ୟରେ ପିଲାଙ୍କ ପାଠପଢ଼ା ଶେଷ କରିବାକୁ ହେବ। ତେଣୁ ଏଭଳି ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ବି ଏହି ଆହ୍ବାନକୁ ଗ୍ରହଣ କରି ପିଲାଙ୍କୁ ପଢ଼ାଉଛନ୍ତି।

ସମ୍ବନ୍ଧିତ ଖବର