ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ‌‌ ଖୋଲିବା ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଏକତରଫା ନିଷ୍ପତ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମସ୍ୟାରେ ପକାଇବ

ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ରାଜ୍ୟରେ ସକାଳ ୭ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବିରୋଧ କରିଛି। ସଂଘର ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିବୃତି ଜରିଆରେ କହିଛନ୍ତି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାହା ସହ ପରାମର୍ଶ ନ କରି ଏଭଳି ଏକପାଖିଆ ନିଷ୍ପତ୍ତି ନେଇଛି। ପୂର୍ବରୁ ସକାଳୁଆ ସ୍କୁଲ୍ ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲେ। ମଧ୍ୟାହ୍ନ ପୂର୍ବରୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଘରକୁ ପଳାନ୍ତି। କିନ୍ତୁ ବିଭାଗର ଏହି ନିଷ୍ପତ୍ତି ଦ୍ବାରା ଏବେ ଦିନ ୧ଟା‌‌‌ରେ ଟାଣଖରାରେ ପିଲା ଓ ଶିକ୍ଷକ/ଶିକ୍ଷୟିତ୍ରୀ ଘରକୁ ଫେରିବେ। ଏହି ସମୟରେ ଯଦି କେହି ଖରାଜନିତ ଅଘଟଣର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ କିଏ ଦାୟୀ ରହିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସଂପ୍ରତି ରାଜ୍ୟରେ ପାରଦ ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଏଭଳି ନିଷ୍ପତ୍ତି ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମସ୍ୟାରେ ପକାଇବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ତେଣୁ ବିଭାଗର ଏଭଳି ମନମୁଖୀ ନିଷ୍ପତ୍ତିରେ ପରିବର୍ତ୍ତନ କରା ନଗଲେ ଓଷ୍ଟା ଓ ଏହାର ଶିକ୍ଷକମାନେ ଏହାକୁ ବିରୋଧ କରି ପ୍ରଣୀତ ନିୟମକୁ ଅସହଯୋଗ କରିବେ। ଏହାସହ ମାର୍ଚ୍ଚ ୧ରୁ ରବିବାର ଶିକ୍ଷାଦାନରୁ ନିବୃତ ଓ ନିୟମିତ ବିଦ୍ୟାଳୟ ସମୟ ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ କରିବାକୁ ସଂଘ ପ୍ରସ୍ତାବ ଦେଇଛି। ଉକ୍ତ ସମୟ ମଧ୍ୟରେ ପିଲାଙ୍କୁ କୋଭିଡ୍ ନିୟମ ଅନୁଯାୟୀ ଶିକ୍ଷାଦାନ କରିବା ସଂପର୍କରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଂଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି।

ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଧ୍ୟୟନ ନିର୍ଘଣ୍ଟ ପରିବର୍ତ୍ତନ ଦାବି
ଭୁବନେଶ୍ୱର : ପରିବର୍ତ୍ତିତ କରୋନା ନିୟନ୍ତ୍ରଣ ନାମରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଧ୍ୟୟନ ପାଇଁ ଧାର୍ଯ୍ୟ କରାଯାଇଥିବା ନୂତନ ସମୟ ନିର୍ଘଣ୍ଟକୁ ଏଆଇଏସ୍‌ଏଫ୍ ପକ୍ଷରୁ ବିରୋଧ କରାଯାଇଛି। କାରଣ ନିର୍ଦ୍ଧାରଣ ହୋଇଥିବା ନୂତନ ସମୟ ନିର୍ଘଣ୍ଟ ଯୋଗୁଁ ପିଲାମାନେ ଅଂଶୁଘାତର ଶିକାର ହେବା ଆଶଙ୍କା ସୃଷ୍ଟି କରିଛି। ଫେବ୍ରୁଆରି ମାସରୁ ଯେଉଁଭଳି ଭାବରେ ତାପମାତ୍ରା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି, ତାକୁ ଦୃଷ୍ଟିରେ ରଖି ଓଏସ୍‌ଡିଏମ୍‌ଏ ପକ୍ଷରୁ ସମସ୍ତ ଜିଲ୍ଲା ଓ ବିଭିନ୍ନ ବିଭାଗକୁ ସତର୍କ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ଏଭଳି ଅଦୂରଦର୍ଶୀ ନିଷ୍ପତ୍ତି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ବୋଲି କହିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଏଆଇଏସ୍‌ଏଫ୍ ଦାବି କରିଛି। ଏହା ବ୍ୟତୀତ ପୂର୍ବ ନିୟମରେ ଗେଟ୍ ଓ ସାଇକେଲ୍ ଷ୍ଟାଣ୍ଡ୍ ନିକଟରେ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ନବମ ଶ୍ରେଣୀ ପିଲାଙ୍କ ସଂପୂର୍ଣ୍ଣ ପ୍ରସ୍ଥାନ ପରେ ଦଶମ ଶ୍ରେଣୀ ପିଲାଙ୍କ ପ୍ରବେଶ ପାଇଁ ଯଥେଷ୍ଟ ସମୟ ବ୍ୟବଧାନ ରହିଥିଲା। ମାତ୍ର ପରିବର୍ତ୍ତିତ ନିୟମରେ ଏହାର ବିଚ୍ୟୁତି ଘଟିଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର