ମାଟ୍ରିକ୍‌ ପରୀକ୍ଷା ପଦ୍ଧତିକୁ ଓଷ୍ଟାର ବିରୋଧ: ପିଲାଙ୍କ ଉପରେ ଚାପ ପଡ଼ିବ

ଗୋଟିଏ ବୋର୍ଡ ପରୀକ୍ଷା କରିବାକୁ ପ୍ରସ୍ତାବ, ଗୃହ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାତିଲ ହେଉ

ଭୁବନେଶ୍ୱର : ୨୦୨୨ରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପ୍ରଶ୍ନ ଉଠାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ପଦ୍ଧତି ଦ୍ବାରା ଛାତ୍ରଛାତ୍ରୀ ଅଧିକ ଭାରାକ୍ରାନ୍ତ ହେବେ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି। ଆଜି ଏଠରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ୨୦୨୨ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ଯେଉଁ ପଦ୍ଧତି ନିର୍ଦ୍ଧାରଣ ହୋଇଛି, ସେଥିରେ ବର୍ଷକରେ ଦୁଇଟି ବୋର୍ଡ ପରୀକ୍ଷା ଓ ୪ଟି ଗଠନମୂଳକ ମୂଲ୍ୟାୟନ କରାଯିବ। ଏହା ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହେବ। ବର୍ଷସାରା ପରୀକ୍ଷା ଓ ମୂଲ୍ୟାୟନ ପିଲାଙ୍କୁ ଅଧିକ ଭାରାକ୍ରାନ୍ତ କରିବ। କରୋନା ମାର୍ଗଦର୍ଶିକା ଆଧାରରେ ପିଲାଙ୍କୁ ବସାଇବାରେ ଅଧିକ ସେକ୍ସନ କରାଯାଇଛି। ସେମାନଙ୍କୁ ପଢ଼ାଇବା ପାଇଁ ବିଷୟଭିତ୍ତିକ ଶିକ୍ଷକ ନାହାନ୍ତି। ନିର୍ଦ୍ଧାରିତ ସମୟରେ ପାଠ୍ୟଖସଡ଼ା ଶେଷ ହୋଇପାରୁନାହିଁ। ପିଲାଙ୍କୁ ବିଦ୍ୟାଳୟ ଆସିବା ମଧ୍ୟ ବାଧ୍ୟତାମୂଳକ କରାଯାଇନାହିଁ। ତେଣୁ ବିଦ୍ୟାଳୟ ଆସୁ ନ ଥିବା ପିଲାମାନେ କିଭଳି ଏହି ସବୁ ପରୀକ୍ଷାର ସମ୍ମୁଖୀନ ହେବେ, ସେଥିପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ବରଂ ପାଠପଢ଼ାର ସମୟ ଅବଧିକୁ କମାଇ ଦିଆଯାଇଛି। ଦିନକୁ ସର୍ବାଧିକ ୪ଟି ପିରିୟଡ୍‌ ପଢ଼ାଯାଉଛି। କରୋନା ପାଇଁ ଅଭିଭାବକମାନେ ବିଦ୍ୟାଳୟରୁ ପ୍ରଶ୍ନପତ୍ର ନେଇ ଘରେ ପିଲାଙ୍କୁ ପରୀକ୍ଷା କରାଇ ଉତ୍ତରଖାତାକୁ ବିଦ୍ୟାଳୟରେ ଜମା କରିବାର ଯେଉଁ ବ୍ୟବସ୍ଥା କଥା କୁହାଯାଇଛି, ତାହା ଆଦୌ ସମୀଚିନ ନୁହେଁ। ଏହା ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପ୍ରଶ୍ନପତ୍ର ପ୍ରଘଟ ଓ ଉତ୍ତରଖାତା ବାଟରେ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଅର୍ଦ୍ଧବାର୍ଷିକ ବୋର୍ଡ ପରୀକ୍ଷାରେ କେବଳ ୫୦ ନମ୍ବର ବହୁ ବିକଳ୍ପଧାରୀ ବସ୍ତୁନିଷ୍ଠ ପ୍ରଶ୍ନ ଓ ବାର୍ଷିକ ବୋର୍ଡ ପରୀକ୍ଷାରେ ଉଭୟ ବସ୍ତୁନିଷ୍ଠ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବାର ଯେଉଁ ବ୍ୟବସ୍ଥା ନିର୍ଦ୍ଧାରଣ ହୋଇଛି, ତାହା ମେଧାବୀ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ଅନ୍ତରାୟ ସୃଷ୍ଟି କରିବ।

ତେଣୁ ଦୁଇଟି ବୋର୍ଡ ପରୀକ୍ଷା ନକରି ଏପ୍ରିଲ୍ ମାସରେ ଗୋଟିଏ ବୋର୍ଡ ପରୀକ୍ଷା କରାଯାଉ। ସେଥିରେ ୫୦ ମାର୍କ ବହୁ ବିକଳ୍ପଧାରୀ ବସ୍ତୁନିଷ୍ଠ ପ୍ରଶ୍ନ ଓ ୩୦ ମାର୍କ ଦୀର୍ଘଉତ୍ତରମୂଳକ ପ୍ରଶ୍ନ ସହ ବିଦ୍ୟାଳୟ ଦ୍ୱାରା ଆକଳନ କରାଯାଇଥିବା ୨୦ ମାର୍କ ଆଧାରରେ ପରୀକ୍ଷା ହେଉ। ଯଦି ଦୁଇଟି ବୋର୍ଡ ପରୀକ୍ଷା କରାଯାଉଛି, ତେବେ ଉଭୟ ପରୀକ୍ଷାରେ ଦୀର୍ଘଉତ୍ତରମୂଳକ ଓ ବସ୍ତୁନିଷ୍ଠ ପ୍ରଶ୍ନ ରଖାଯାଉ। ଏହାକୁ ସେମିଷ୍ଟର୍‌ ଭାବେ ଗ୍ରହଣ କରାଯାଉ। ଗୃହ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାତିଲ ହେଉ। ଏକ ନୂତନ ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କଲା ବେଳେ ସରକାର ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଷୟ ବିଶାରଦ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଶିକ୍ଷକ ସଙ୍ଗଠନ ଓ ଅଭିଭାବକଙ୍କୁ ନେଇ ଯେତେ ବ୍ୟାପକ ଆଲୋଚନା କରିବା କଥା, ତାହା କରାଯାଇନାହିଁ ବୋଲି ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ମଧୁସୂଦନ ଦେ, ରମାକାନ୍ତ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର