ମାଟ୍ରିକ ମୂଲ୍ୟାୟନର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଲା ଓଷ୍ଟା

ନବମ ଶ୍ରେଣୀ ମାର୍କକୁ ବାଦ୍‌ ଦେବାକୁ ପ୍ରସ୍ତାବ

ଭୁବ‌ନେଶ୍ବର : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଟ୍ରିକ୍‌ ମୂଲ୍ୟାୟନ ପଦ୍ଧତିର ସ୍ବଚ୍ଛତା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି। ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ସମୟରେ ସ୍ବଚ୍ଛତାର ସହ ପରୀକ୍ଷା ଦେଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରାଧାନ୍ୟ ଦେଇ ପରିଷଦ ମୂଲ୍ୟାୟନ ପଦ୍ଧତିର ଖସଡା ନିର୍ଦ୍ଧାରଣ କରନ୍ତୁ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ଓଷ୍ଟା ପକ୍ଷରୁ କୁହାଯାଇଛି ଯେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରାଗଲେ ମେଧାବୀ ପିଲାମାନେ କ୍ଷତିଗ୍ରସ୍ତ ହେବେ। କାରଣ ନବମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀକୁ ଗୁରୁତ୍ବର ସହ ନେଇ ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ଦେଇଥାନ୍ତି। ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ରଖିଥିବା ମାର୍କ ଦଶମ ଶ୍ରେଣୀକୁ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ତେଣୁ ପରିଷଦ ଓ ରାଜ୍ୟ ସରକାର ନବମ ଶ୍ରେଣୀର ମାର୍କ ଆଧାରରେ ଦଶମ ଶ୍ରେଣୀର ମୂଲ୍ୟାୟନ ବ୍ୟବସ୍ଥାକୁ ଗ୍ରହଣ କରିବା ଠିକ୍‌ ହେବ ନାହିଁ। ନବମ ଶ୍ରେଣୀରେ ରଖିଥିବା ମାର୍କରୁ ୪୦% ବଦଳରେ ୨୦% ଭାବେ ନିଆଯାଇପାରେ। ଫଳରେ ମେଧାବୀ ଛାତ୍ରଛାତ୍ରୀ ଅଧିକ କ୍ଷତିଗ୍ରସ୍ତ ହେବେ ନାହିଁ।

ଗତବର୍ଷ ମାର୍ଚ୍ଚ ୧୭ରୁ ୨୦୨୧ ଜାନୁଆରି ୮ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବା, ଅଧିକାଂଶ ବିଦ୍ୟାଳୟ କୋଭିଡ୍‌ ପରିଚାଳନା କେନ୍ଦ୍ର ଭାବେ ସ୍ଥାନୀୟ ସରପଞ୍ଚଙ୍କ ହାତକୁ ଚାଲିଯିବା ଦ୍ବାରା ପରୀକ୍ଷା ଖାତା ଠିକ ଭାବେ ଯେ ବିଦ୍ୟାଳୟଗୁଡ଼ିକ ପାଖରେ ଥିବ ତାହା କହି ହେବ ନାହିଁ। ତେଣୁ ମାର୍କ ରେଜିଷ୍ଟରକୁ ଆଧାର କରି ମାଧ୍ୟମିକ ଶିକ୍ଷା ପରିଷଦ, ଜିଲ୍ଲା ଶିକ୍ଷା ଅଧିକାରୀ, ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକ ଓ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଧ୍ୟମ ଦେଇ ଟାବୁଲେସନ ରେଜିଷ୍ଟରକୁ ମାର୍କ ଉଠାଇବାର ବ୍ୟବସ୍ଥା କରାଯାଉ ବୋଲି ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର