ଭାରତ ବନ୍ଦକୁ ଓଷ୍ଟାର ସମର୍ଥନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନୂତନ କୃଷିନୀତିକୁ ବିରୋଧ କରି ସାରା ଦେଶରେ ଚାଲିଥିବା ଆନ୍ଦୋଳନକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସମର୍ଥନ ଜଣାଇଛି। ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଏହି କୃଷିନୀତିରେ କୃଷକର ପୂର୍ଣ୍ଣ ସ୍ୱାଧୀନତା ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରେତ୍ସାହନକୁ ସଙ୍କୁଚିତ କରାଯାଇଛି। ଏହି ଆଇନ୍‌ରେ ବହୁ ଜାତିକ କମ୍ପାନିଙ୍କୁ କୃଷି ବ୍ୟବସ୍ଥା ମଧ୍ୟକୁ ପ୍ରବେଶ କରାଇବାର ପଥ ଉନ୍ମୁକ୍ତ ହୋଇଛି। ଏହା ଜାରି ରହିଲେ କୃଷକ ନିଜର ଉତ୍ପନ ଶସ୍ୟର ଉପଯୁକ୍ତ ସହାୟକ ମୂଲ୍ୟ ପାଇବାରେ ସମସ୍ୟାର ସମ୍ମୁଖୀନ ହେବ।

ଏହି ଆନ୍ଦୋଳନ କେବଳ କୃଷକଙ୍କର ନୁହେଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ନୂତନ କୃଷିନୀତି-୨୦୨୦କୁ ପ୍ରତ୍ୟାହାର କରନ୍ତୁ ଏବଂ ଫସଲର ସହାୟକ ମୂଲ୍ୟ ଅପରିବର୍ତ୍ତିତ ରଖିବା ସହ ଏହାକୁ କିପରି ସ୍ୱଚ୍ଛ ଓ ଅଧିକ ନିରାପଦ କରିହେବ ସେଦିଗରେ ସରକାର ପଦକ୍ଷେପ ନିଅନ୍ତୁ। କୃଷିରେ କଳା ବଜାରୀ ରୋକିବା ପାଇଁ କଠୋର ଆଇନ୍ ପ୍ରଣୟନ କରାଯାଉ। ଘରୋଇ ମଣ୍ଡି ସ୍ଥାପନ ନ କରି ସରକାରଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ସରକାରୀ ମଣ୍ଡି ଖୋଲୁ ଓ ବିକ୍ରୟର ଯଥେଷ୍ଟ ପୂର୍ବରୁ କୃଷକଙ୍କ ନାମରେ ବିକ୍ରି ପାଇଁ ଟୋକନ୍ ଜାରି କରାଯାଉ। କୌଣସି ସ୍ଥାନରେ କୃଷକକୁ ଠକିବାର ପ୍ରୟାସକୁ ଅପରାଧିକ ମାମଲା ଭାବରେ ଗ୍ରହଣ କରି ତାହାର ବିଚାର କରାଯାଉ। ନଚେତ୍ ଆଗାମୀ ଦିନରେ ଓଷ୍ଟା ପ୍ରତ୍ୟେକ୍ଷ ଭାବେ କୃଷକ ଆନ୍ଦୋଳନ ସହିତ ଛିଡ଼ା ହେବ। ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରାଯିବ ବୋଲି ସଙ୍ଗଠନର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କେନ୍ଦ୍ର ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର