ଅର୍ଥମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଓ ନୂତନ ସରକାରୀ ହାଇସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମଞ୍ଚ ପକ୍ଷରୁ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଓ ପେନସନ୍‌ଭୋଗୀ ଶିକ୍ଷକ ଓ କର୍ମଚାରୀଙ୍କ ଅନେକ ସମସ୍ୟା ଅର୍ଥ ବିଭାଗର ଅନୁମୋଦନ ପଡ଼ିରହିଛି। ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଉଭୟ ସଙ୍ଗଠନର ଶିକ୍ଷକମାନେ ଶାନ୍ତିପୂର୍ଣ୍ଣଭାବେ ଧାରଣାରେ ବସିଥିଲେ।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ କହିବାନୁଯାୟୀ ସପ୍ତମ ବେତନ କମିସନ୍‌ ନିର୍ଧାରଣ ପେନସନ୍‌, ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀଙ୍କ ଚାକିରି କାଳ ୧:୧ ଭିତ୍ତିରେ ଗଣନା କରି ଆର୍‌ଏସିପି ପ୍ରଦାନ, ୬୪୮ ପୂର୍ଣ୍ଣଅନୁଦାନପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ, ୨୬୦୮ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଇପିଏଫ୍‌, ଏକ୍ସଗ୍ରାସିଆ ଏବଂ ଏହି ସମସ୍ତ ବିିଦ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ, ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା ସମ୍ପର୍କରେ ଗଣଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଫାଇଲ୍‌ ପଡ଼ି ରହିଛି। ସମସ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଶାନ୍ତିପୂରଣ ଧାରଣା ଦିଆଯାଇଥିଲା। ଯଦି ତୁରନ୍ତ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ତ୍ରିପାଠୀ, ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର