ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

ଭୁବନେଶ୍ୱର : ରାଜ୍ୟ ଅର୍ଥ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ନୂତନ ସରକାରୀ ହାଇସ୍କୁଲର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ, କର୍ମଚାରୀ ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ୨୦୧୬ ଜାନୁଆରିରୁ ସଂଶୋଧିତ ହାରରେ ପେନସନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେହି ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଟିଜି ଶିକ୍ଷକଙ୍କର ଆରଏସିପି ନିର୍ଧାରଣ କରିବା ପାଇଁ ୨:୧ ନୀତି ଲାଗୁ କରିବା ଯୋଗୁଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି।

ବର୍ତମାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ବିଦ୍ୟାଳୟକୁ ସରକାରୀ ନ କରାଯିବା ହେତୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଭାଙ୍ଗିଯିବାକୁ ବସିଲାଣି। ନୂତନ ଅନୁଦାନପ୍ରାପ୍ତ (ବ୍ଲକଗ୍ରାଣ୍ଟ) ବିଦ୍ୟାଳୟର ଏକ୍ସ ଗ୍ରାସିଆ, ଇପିଏଫ୍‌ ନିର୍ଧାରଣରେ ଓ ଖେଳ ଶିକ୍ଷକ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଶୋଧିତ ଗ୍ରେଡ ପେ’ ଲାଗୁ କରିବାରେ ଉଦାସୀନତା ଯୋଗୁଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଓ ଅବସରପ୍ରାପ୍ତ ଶିକ୍ଷକ ଫୋରମ୍‌ ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଅର୍ଥ ବିଭାଗର ଏଭଳି ନୀତି ଫଳରେ ନୂତନ ସରକାରୀ ହାଇସ୍କୁଲଠାରୁ ଆରମ୍ଭ କରି ବ୍ଲକଗ୍ରାଣ୍ଟ ପର୍ଯ୍ୟନ୍ତ ସମସ୍ତ ସ୍କୁଲର ଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଆସନ୍ତା ଜୁନ୍‌ ୫ସୁଦ୍ଧା ଯଦି ସମସ୍ୟାଗୁଡ଼ିକର ସମାଧାନ କରାନଯାଏ, ତେବେ ଜୁନ୍‌ ୬ ତାରିଖରୁ କ୍ଷତିଗ୍ରସ୍ତ କାର୍ଯ୍ୟରତ ଶିକ୍ଷକ ଓ ନୂତନ ସରକାରୀ ହାଇସ୍କୁଲର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକମାନେ ଅର୍ଥମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବେ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ଅକ୍ଷୟ କୁମାର ମିଶ୍ର, ନୂତନ ସରକାରୀ ହାଇସ୍କୁଲ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ଫେରମ୍‌ର ଆବାହକ ଇନ୍ଦୁମାଧବ ମହାନ୍ତି, ଚିତ୍ତରଞ୍ଜନ ସେନାପତି, ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର