ଭୁବନେଶ୍ବର : ଶିକ୍ଷକମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାର ପଦ‌କ୍ଷେପ ନେଉନାହାନ୍ତି। ସମାନ କଥା ପାଇଁ ବାରମ୍ବାର ଆନ୍ଦୋଳନ କରିବାକୁ ବାଧ୍ୟ କରୁଛନ୍ତି। ଆଗକୁ ମାଟ୍ରିକ୍‌ ପରୀକ୍ଷା ଥି‌ଲେ ମଧ୍ୟ ସରକାରଙ୍କର ସେଥିପ୍ରତି ନିଘା ନାହିଁ। ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲେ ବି ସରକାରଙ୍କୁ କିଛି ଫରକ୍ ପଡ଼ୁନି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ଫେବ୍ରୁଆରି ୬ରୁ ଓଷ୍ଟା ନେତୃତ୍ବରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ସଂଗଠନ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି।

Advertisment

ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ୨୪ ବର୍ଷ ଧରି ପୂର୍ଣ୍ଣଅନୁଦାନ ପାଉଥିବା ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା ପାଇଁ ଦାବି ହେଉଛି। ସରକାର ମଧ୍ୟ ଦାବି ନେଇ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଦାବି ପୂରଣ କରୁନାହାନ୍ତି। ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟ ହେଲାଣି। ସରକାରୀ କରା ନଗଲେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ବିଦ୍ୟାଳୟ ବନ୍ଦ ହୋଇଯିବ। ଏଥିସହ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିସନ ଲାଗୁ, ଚାକିରି ସର୍ତ୍ତାବଳୀ ଓ ପେନ୍‌ସନ୍‌ ଦେବେ ବୋଲି ସରକର ଗତ ଆନ୍ଦୋଳନ ସମୟରେ କହିଥିଲେ ମଧ୍ୟ ଏଦିଗରେ କୌଣସି ଠୋସ୍ ପଦକ୍ଷେପ ନ ନେବା ଯୋଗୁଁ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେହିପରି ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେବେ କହି ଭଣ୍ଡେଇ ଚାଲିଛନ୍ତି। ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଆର୍‌ଏସିପି ଦେବା କ୍ଷେତ୍ରରେ ଯେଉଁ ଜଟିଳତା ସୃଷ୍ଟି ହୋଇଛି ତା’ର ସମାଧାନ କରାଯାଉ ନାହିଁ। ପଦୋନ୍ନତି ମାଧ୍ୟମରେ ପ୍ରଧାନଶିକ୍ଷକ ପଦବି ପୂରଣ କରାଯିବ ବୋଲି ତିନିବର୍ଷ ହେଲା କୁହାଯାଉଥିଲେ ମଧ୍ୟ ୮୦ ଭାଗ ମାଧ୍ୟମିକ ବିଦ୍ୟାଳୟ ବିନା ପ୍ରଧାନଶିକ୍ଷକରେ ଚାଲିଛି। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ, ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ଦରମା ପ୍ରଦାନରେ ବି ଅସଙ୍ଗତି ରହୁଛି।

ଗତ ସେପ୍ଟେମ୍ବର ୧୮ରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହିତ ଓଷ୍ଟାର ପ୍ରତିନିଧିମଣ୍ଡଳୀ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରିନି। ତେଣୁ ସରକାରଙ୍କ କାଳକ୍ଷେପଣ ନୀତି ବିରୋଧରେ ଫେବ୍ରୁଆରି ୬ରୁ ରାଜ୍ୟରେ ଥିବା ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିନୋଦ ବିହାରୀ ପାଣିଗ୍ରାହୀ, ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରି ଚରଣ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।