ବିଧାନସଭା ସମ୍ମୁଖରେ ଓଷ୍ଟାର ଧାରଣା

ଦୁଇଟି ପର୍ଯ୍ୟାୟ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଆଜି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ଏକାଠି ହେଇ ରାଜ୍ୟ ସରକାରଙ୍କ ଶିକ୍ଷା, ଶିକ୍ଷକ, ଶିକ୍ଷାନୁଷ୍ଠାନ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ଓଷ୍ଟାର ଦାବି ଅନୁଯାୟୀ ୬୪୯ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀ ଘୋଷଣା କରାଯାଉ। ଏଥିସହ ବେତନ ପ୍ରଦାନରେ ଥିବା ଅସଙ୍ଗତି ଦୂର, ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ ଓ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚତର ଦରମା ପ୍ରଦାନ, ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଶିକ୍ଷକଙ୍କୁ ନିୟମିତ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବାକୁ ଦାବି କରାଯାଇଛି। ଏହାବ୍ୟତୀତ ଗତ ସେପ୍ଟେମ୍ବର ୧ରେ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପୂର୍ବରୁ ସବୁ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କୁ ନିୟମିତ ଅନୁଦାନ ଦେବାକୁ ଘୋଷଣା କରିଥିଲେ। ନିୟମିତ ଅନୁମତି ଦେବା ଲାଗି ଅକ୍ଟୋବର ୧୧ରେ ପ୍ରକାଶିତ ବିଜ୍ଞପ୍ତିରେ ଅସଙ୍ଗତି ରହିଛି। ୪୦,୬୦ ଏବଂ ୭୫ ପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଏବଂ ଅନୁଦାନରୁ ବାଦ୍‌ ପଡ଼ିଥିବା ୧୬୭ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ଦେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ସମ୍ପର୍କରେ କିଛି ନିୟମ ହୋଇନି।

ଦାବି ପୂରଣ ନେଇ ପୂର୍ବାହ୍ନରେ ଶିକ୍ଷକ, ଶିକ୍ଷୟିତ୍ରୀ ଧାରଣା ଦେବା ପରେ ଅପରାହ୍ଣରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଓଷ୍ଟାର ଏକ ପ୍ର୍ରତିନିଧି ଦଳ ଆଲୋଚନା କରିଥିଲା। ଦୁଇଟି ପର୍ଯ୍ୟାୟରେ ସଫଳ ଆଲୋଚନା ପରେ ଓଷ୍ଟା ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ଏହାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ଏହି ଧାରଣାରେ ବିନୋଦ ବିହାରୀ ପାଣିଗ୍ର୍ରାହୀ, ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରି ଚରଣ ସାହୁ, ସୁରଜିତା ନାୟକ, ସନ୍ତୋଷ କୁମାର ଭଟ୍ଟ, ଅଶୋକ କୁମାର ମହାପାତ୍ର, ରଞ୍ଜନ କୁମାର ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର