ଏମ୍‌ସରେ ଖୋଲିବ ଓଏସ୍‌ଟି କେନ୍ଦ୍ର

ଇଞ୍ଜେକସନ୍‌ରେ ଡ୍ରଗ୍‌ସ ନେଉଥିବା ଲୋକଙ୍କୁ ଦିଆଯିବ କାଉନସେଲିଂ

ଭୁବନେଶ୍ବର : ଇଞ୍ଜେକସନ୍‌ ଜରିଆରେ ଡ୍ରଗ୍‌ସ(ଆଇଡିୟୁ) ନେଉଥିବା ଲୋକମାନଙ୍କ ପାଇଁ ଏମ୍‌ସରେ ଖୋଲିବ ଓପିଓଏଡ ସବଷ୍ଟିଚ୍ୟୁସନ୍‌ ଥେରାପି ବା ଓଏସ୍‌ଟି କେନ୍ଦ୍ର। ଏହି କେନ୍ଦ୍ର ଜରିଆରେ ଆଇଡିୟୁମାନଙ୍କୁ ‌ନିଶା ଛଡ଼ାଇବା ଲାଗି ଆବଶ୍ୟକ ଔଷଧ ଓ କାଉନ୍‌ସେଲିଂ ସୁବିଧା ମିଳିବ। ଏମ୍‌ସରେ ଓଏସ୍‌ଟି କେନ୍ଦ୍ର ଖୋଲିବା ଲାଗି ଜାତୀୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା(ନାକୋ) ଅନୁମୋଦନ ଦେଇସାରିଛି। ତେଣୁ ଆସନ୍ତା କିଛିଦିନ ଭିତରେ ଖୋଲିବ ବୋଲି ଆଶା କରାଯାଉଛି।

ରାଜ୍ୟର ୫ଟି ଜିଲ୍ଲାରେ ଆଇଡିୟୁ-ଟିଆଇ ବା ଟାର୍ଗେଟେଡ୍‌ ଇଣ୍ଟରଭେନ୍‌ସନ ଏନ୍‌ଜିଓ କାର୍ଯ୍ୟ କରୁଛି। ଏହାସହ ବରଗଡ଼ରେ ଏକ ଏନ୍‌ଜିଓ ଏଚ୍‌ଆଇଭି ସଂକ୍ରମିତଙ୍କ ସହିତ ଆଇଡିୟୁ-ଟିଆଇରେ ନିୟୋଜିତ ହୋଇଛି। କଟକରେ ଓମ୍‌ଆରଏଏଚ୍‌ ସହିତ ୩୫୦ ଆଇଡିୟୁ, ଖୋର୍ଧାରେ ଭିଜିଏସ୍‌ଏସ୍‌ ସହିତ ୨୫୦, ଲେପ୍ରା ୬୫୦, ପୁରୀରେ ହୋପ୍‌ ଫାଉଣ୍ଡେସନ୍‌ ଓ ଜଗତସିଂହପୁର ଆଇଆରଡିଏମଏସ୍‌ ୩ଶହ ଓ ବରଗଡ଼ରେ ଆରୱାଇଏସ୍‌ ସହିତ ୩୫୦ ଆଇଡିୟୁଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୨ଶହ ଆଇଡିୟୁ ରହିଛନ୍ତି। ତେବେ ଜିଲ୍ଲାୱାରି ଆଇଡିୟୁ-ଟିଆଇ ସହିତ ଓଏସ୍‌ଟି କ୍ଲିନିକ୍‌ ମଧ୍ୟ ରହିଛି। ୨୦୨୦/୨୧ ଆର୍ଥିକ ବର୍ଷରେ ରାଜ୍ୟରେ ୨୨ଶହ ଆଇଡିୟୁ ଓ ୨୦୨୧/୨୨ବର୍ଷରେ ମଧ୍ୟରେ ସମାନ ସଂଖ୍ୟକ ଆଇଡିୟୁଙ୍କ ପାଇଁ ‌ନାକୋ ପକ୍ଷରୁ ଅନୁମତି ମିଳିଛି। ଖୋର୍ଧା ଜିଲ୍ଲାରେ ଭିଜିଏସ୍‌ଏସ୍‌ ଟିଆଇ ସହିତ ଓଏସ୍‌ଟି କେନ୍ଦ୍ର ରହିଛି। ‌ମାତ୍ର ଗୋଟିଏ କେନ୍ଦ୍ରରୁ ଚାପ ହଟାଇବା ଲାଗି ଏମ୍‌ସ ପରିସରରେ ଏକ ଓଏସ୍‌ଟି କେନ୍ଦ୍ର ଖୋଲାଯିବ। ଏଠାରେ ଜଣେ ଡାକ୍ତରଙ୍କ ସହିତ କାଉନ୍‌ସିଲର, ଡାଟା ମ୍ୟାନେଜର ଓ ଜଣେ ଏଏନ୍‌ଏମ୍‌ ରହିବେ। ଯାହାଫଳରେ ଆଇଡିୟୁମାନଙ୍କୁ ଏଠାରୁ ଆବଶ୍ୟକ ଔଷଧ ସହିତ କାଉନସେଲିଂ ସୁବିଧା ମିଳିପାରିବ। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଏ ନେଇ ନାକୋକୁ ପ୍ରସ୍ତାବ ଦିଅଯାଇଥିଲା। ନିକଟରେ ଏଥିପାଇଁ ଫିଜିବିଲିଟି ଷ୍ଟଡି କରାଯିବା ପରେ ନାକୋ ଏହାକୁ ଅନୁମୋଦନ ଦେଇଛି। ଖୁବଶୀଘ୍ର ଓଏସ୍‌ଟି କେନ୍ଦ୍ର ପାଇଁ ମାନବ ସମ୍ବଳ ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର