ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ହରିଶଙ୍କରକୁ ଯାତାୟତ ନିମନ୍ତେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ହରିଶଙ୍କର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ଯୋଗାଇ ଦେବା ପରେ ପ୍ରଥମ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବଲାଙ୍ଗୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ପତାକା ହଲାଇ ବସ୍ ସେବାର ଶୁଭାରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀରସ୍ଥିତ ସରକାରୀ ବସ୍ଷ୍ଟାଣ୍ଡ୍ରୁ ଏହି ବସ୍ ସେବା ପ୍ରତି ଶନିବାର ଓ ରବିବାର ସମେତ ସ୍ବତନ୍ତ୍ର ଦିନମାନଙ୍କରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଯାତ୍ରା କରିବ। ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗୀର ସହରରରୁ ଅନ୍ୟ ପର୍ଯ୍ୟଟନ ସ୍ଥଳକୁ ଚଳାଚଳ କରିବ। ଯାତ୍ରୀମାନେ ଏହି ବସ୍ ଯୋଗେ ୱେଡିଂ ଡେଷ୍ଟିନେସନ, ବଣଭୋଜି ସ୍ଥଳ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରିବେ। ବଲାଙ୍ଗୀର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ୍ (ଏସଆଇଏଚଏମ) ଏହାର ପରିଚାଳନା କରିବେ। ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଏସଆଇଏଚଏମର ଅଧ୍ୟକ୍ଷ, ଓଟିଡିସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ ‘ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ବ କୋଠା’ ନିର୍ମାଣର ଭିତ୍ତି ପ୍ରସ୍ତର କରାଯାଇଛି। କାର୍ଯ୍ୟାଳୟ ସହ ପର୍ଯ୍ୟଟକଙ୍କ ନିମନ୍ତେ ଏହି ପରିସରରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।
ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରଥମଥର ପାଇଁ ହୀରାକୁଦରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ଡିସେମ୍ବର ୮ରୁ ଆୟୋଜନ ହେବ। ହୀରାକୁଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏହା ଏକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/OTDC-Bus.jpg)