ରଥଯାତ୍ରାରେ ପୁରୀକୁ ସ୍ୱତନ୍ତ୍ର ଟୁର୍‌ ପ୍ୟାକେଜ୍‌

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ହୋଇଛି ସ୍ୱତନ୍ତ୍ର ଟୁର୍‌ ପ୍ୟାକେଜ୍‌। ଜୁଲାଇ ୧୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ପାଇଁ କଟକ, ଭୁବନେଶ୍ୱର ଓ ସମ୍ବଲପୁରରୁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହ ଦେଶ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ଏହି ଟୁର୍‌ରେ ସାମିଲ୍‌ ହୋଇପାରିବେ ବୋଲି ପର୍ଯ୍ୟଟନ ଓ ସଂସ୍କ୍‌ୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଭୁବନେଶ୍ୱରରୁ ଜୁଲାଇ ୧୪ ତାରିଖ ତଥା ରଥଯାତ୍ରା ଦିନ ସକାଳ ୬ଟାରେ ଗାଡ଼ି ଛାଡ଼ିବ। ଏଥିପାଇଁ କଟକ ଓ ଭୁବନେଶ୍ୱରର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ପାନ୍ଥନିବାସରେ ସାଢ଼େ ୫ଟା ସୁଦ୍ଧା ରିପୋର୍ଟିଂ କରିବାକୁ ପଡ଼ିବ। ପାନ୍ଥନିବାସରୁ ଗାଡ଼ି ପୁରୀ ଅଭିମୁଖେ ଯାଇ ସେହିଦିନ ସନ୍ଧ୍ୟା ୭ଟା ସୁଦ୍ଧା ଫେରିବ। ଏଥିପାଇଁ ପ୍ୟାକେଜ୍‌ର ମୂଲ୍ୟ ୪୧୯୯ଟଙ୍କା ରଖାଯାଇଛି।

ତେବେ ସମ୍ବଲପୁର ପାନ୍ଥନିବାସରୁ ଗାଡ଼ି ୧୩ ତାରିଖରେ ରାତି ୮ଟାରେ ବାହାରି ୧୪ ତାରିଖରେ ଭୁବନେଶ୍ୱର ପାନ୍ଥନିବାସରେ ପହଞ୍ଚି ସେଠାରୁ ପୁରୀ ଅଭିମୁଖେ ଯିବ। ସମ୍ବଲପୁରରୁ ଟୁର୍‌ ପ୍ୟାକେଜ୍‌ ମୁଣ୍ଡ ପିଛା ୫୨୪୯ଟଙ୍କା ରଖାଯାଇଛି। ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ଭୁବନେଶ୍ୱରରୁ ୨୦୯୯ ଟଙ୍କାରେ ମଧ୍ୟ ଏକ ଟୁର୍‌ ପ୍ୟାକେଜ୍‌ କରାଯାଇଛି। ଏହି ବ୍ୟବସ୍ଥାରେ ଜଗନ୍ନାଥ ବଲ୍ଲଭ ମଠ ଉପରେ ସ୍ୱତନ୍ତ୍ର ସିଟ୍‌ର ବ୍ୟବସ୍ଥା ହୋଇଛି। ଟୁର୍‌ ସମୟରେ ଶୀତତାପ ନିୟନ୍ତ୍ରିତ ପରିବହନ ବ୍ୟବସ୍ଥା ସହ ସକାଳ ଜଳପାନ, ମଧ୍ୟାହ୍ନ ଭୋଜନ ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ www.visitodisha.org ଓ www.panthanivas.com େଓ୍ଵବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ବୁକିଂ ସୁବିଧା କରାଯାଇଛି ବୋଲି ଓଟିଡିସିର ମାର୍କେଟିଂ ମ୍ୟାନେଜର ଆଲୋକ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର