ଭୁବନେଶ୍ୱର : ବଣଭୋଜି କରିବା ପାଇଁ ଏଣିକି ଆଉ ସମସ୍ତ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ। ‌ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ପ୍ରଥମେ ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନସ୍ଥଳରେ ଏ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଖାଣ୍ଟି ଓଡ଼ିଆ ଖାଦ୍ୟ ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ଭେଟି ଦିଆଯିବ। ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରାଯାଇଛି। କରୋନା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବାବ‌େଳେ ଦେଶୀୟ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେବା ନେଇ ହୋଇଥିବା ‌ଯୋଜନାକୁ ସାକାର ରୂପ ଦେବାକୁ ଏପରି ପରିକଳ୍ପନା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି ନିଗମର କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଛନ୍ତି, କୋଭିଡ୍‌ ପରବର୍ତୀ ସମୟରେ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ସମସ୍ତ ସୁବିଧା ସୁନିଶ୍ଚିତ କରିଛି।

Advertisment

ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅନଲାଇନ୍‌ରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜଙ୍ଗଲ ଓ ପରିବେଶ ବିଭାଗ ସହଭାଗିତାରେ ଏହା ଆରମ୍ଭ ହେବ। ପ୍ରକୃତି କୋଳରେ କିଛି ମୁହୂର୍ତ ବିତାଇବାକୁ ଚାହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଓଟିଡିସି ଡେଷ୍ଟିନେସନ୍‌ ୱେଡିଂ ଆରମ୍ଭ କରିସାରିଛି। ବିଦେଶ ଯାତ୍ରାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଗ୍ଲୋବାଲ ଟୁର୍‌ ପ୍ୟାକେଜ୍‌ ମଧ୍ୟ କରାଯାଇସାରିଛି। ‘ବଣଭୋଜି’ ଟୁର୍‌ ପ୍ୟାକେଜ୍‌ ‌ଦ୍ବାରା ଲୋକେ ସମ୍ପୂର୍ଣ୍ଣ ନିରାପତ୍ତା ସହ ବଣଭୋଜି କରିବାର ସୁଯୋଗ ପାଇପାରିବେ। ଏହାବ୍ୟତୀତ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ନିଗମ ପକ୍ଷରୁ ସ୍ବତନ୍ତ୍ର ଭିଡିଓ ଉନ୍ମୋଚନ କରାଯାଇଛି। ଅତିଥି ଦେବୋ ଭବଃ ସ୍ଳୋଗାନ ସହ ଏ ଦିଗରେ ନିଗମ ଅଣ୍ଟା ଭିଡ଼ିଛି।

ଏହାବ୍ୟତୀତ ବନ ବିଭାଗର ଅନୁରୋଧରେ ନନ୍ଦନକାନନର ଏକ ଧଳାବାଘ ‘ସ୍ପନ୍ଦନ’ର ଭରଣପୋଷଣ ଦାୟିତ୍ବ ନେଇଛି ଓଟିଡିସି। ନିକଟରେ କରୋନା ମହାମାରୀ ସ୍ଥିତିରେ ୨୧ଟି ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ୍‌ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଖାଦ୍ୟ, ପାନୀୟ, ରହଣି ଓ ପରିବହନ ସୁବିଧା ଯୋଗାଇ ଦିଆଯାଇଥିଲା। ସାମାଜିକ ଦାୟିତ୍ବବୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଓଟିଡିସିର ପରିଚାଳନା ନିର୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଗତ ବର୍ଷେ ମଧ୍ୟରେ ଅନେକ ନୂତନ ପଦକ୍ଷେପ ଯୋଡ଼ି ହୋଇଥିବା ବ‌େଳେ ଆଗକୁ ନିଗମ ପୁଣି କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଲକ୍ଷ୍ୟ ରଖିଛି ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।