ଦେବଗଡ଼ : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପୁଣି ଲିକ୍ ହୋଇଛି। ଦେବଗଡ଼ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ମୋବାଇଲ୍ ଫୋନ୍ରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍ପି କରାଯିବା ସହିତ ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୮ଟାରେ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଆରମ୍ଭ ହୋଇଥିଲା। ଘଣ୍ଟାଏ ନପୂରୁଣୁ ପ୍ରଶ୍ନପତ୍ର ଏବଂ ଉତ୍ତର ମୋବାଇଲ୍ରୁ ମୋବାଇଲ୍କୁ ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ପୂର୍ବାହ୍ଣ ସାଢେ ୮ଟା ସମୟରେ ଏହି ପରୀକ୍ଷାକେନ୍ଦ୍ରରେ ପର୍ଯ୍ୟବେକ୍ଷକ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍ ରାଉଣ୍ଡ ଚେକିଂ କରିବା ସମୟରେ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ରର ଫଟୋ ଉଠାହୋଇଥିବା ଏକ ମୋବାଇଲ ଫୋନ୍ ଜବତ କରାଯାଇଥିବା ପରୀକ୍ଷାକେନ୍ଦ୍ର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ତିଲେଇବଣୀ ବ୍ଲକ୍ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ କହିଛନ୍ତି। ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଜବତ ହୋଇଥିବା ମୋବାଇଲ୍ ଫୋନ୍କୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିବା ବେଳେ ଉକ୍ତ ମୋବାଇଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ନା ନାହିଁ ସେ ନେଇ ଅନୁଧ୍ୟାନ ପରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ୍ ଦାୟିତ୍ବରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ପୃଷ୍ଟିଙ୍କୁ ଦାୟିତ୍ବରୁ ପରିବର୍ତ୍ତନ କରାଯାଇ ସୁଗୁଡା ହାଇସ୍କୁଲର ପ୍ରଧାନଶିକ୍ଷକ ରାମେଶ୍ବର ନାୟକଙ୍କୁ କେନ୍ଦ୍ରର ନୂତନ ସୁପରିନ୍ଟେଣ୍ଡେଣ୍ଟ୍ ଦାୟିତ୍ବ ଦିଆଯାଇଛି। ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଜିଲ୍ଲାର ୫ଟି କେନ୍ଦ୍ରରେ ମୋଟ ୧୧୦୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩୬ଜଣ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣା ଜଣାପଡ଼ିବା ପରେ ପରୀକ୍ଷାର୍ଥୀମାନେ ଫଳାଫଳକୁ ନେଇ ଆଶଙ୍କାରେ ଥିବାବେଳେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ୍ ଫୋନ୍ କିଭଳି ଆସିଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରଶ୍ନପତ୍ର ପ୍ରଘଟ ହୋଇନି: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ଆଜି ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପ୍ରଥମ ସିଟିଂ ପରୀକ୍ଷା ବେଳେ ଦେବଗଡ଼ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ‘ଡି’ ସେଟ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ନେଇ ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କୌଣସି ସ୍ଥାନରେ ପ୍ରଶ୍ନପତ୍ର ପ୍ରଘଟ ହୋଇନି। ପରୀକ୍ଷା ଭଲରେ ସରିଛି। ଦେବଗଡ଼ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେଇଥିଲେ ଏବଂ ପ୍ରଶ୍ନପତ୍ରର ଫଟୋ ଉଠେଇବାକୁ ଉଦ୍ୟମ କରିବା ସମୟରେ ନିରୀକ୍ଷକଙ୍କ ହାତରେ ଧରାପଡ଼ିଥିଲେ। ମୋବାଇଲ ନେଇ ଧରାପଡ଼ିଥିବା ପରୀକ୍ଷାର୍ଥୀ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ତେଣୁ ସେ କିଭଳି ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେଲେ ଏବଂ ତାଙ୍କ ସହିତ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି, ତାହାର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/samir-ranjan-dash.jpg)