ଓଟିଇଟି ପରୀକ୍ଷା ପୂର୍ବରୁ ଉତ୍ତର ଜେରକ୍ସ ପେପର ବାହାରେ ଭାଇରଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ଥିଲା ପ୍ରାଥମିକ ଶିକ୍ଷକ ଏବଂ ବିଏଡ ଶିକ୍ଷକମାନଙ୍କ ପାଇଁ ଓଟିଇଟି ପରିକ୍ଷା। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏହି ପରିକ୍ଷାରେ ପାସ କରିବା ବାଧ୍ୟତାମୂଳକ। ତେଣୁ ପ୍ରତିବର୍ଷ ଯେଉଁ ଶିକ୍ଷକମାନେ ଓଟିଇଟି ପାସ କରିନାହାନ୍ତି ସେମାନେ ଏହି ପରୀକ୍ଷା ପାସ ନକଲେ ସେମାନଙ୍କ ଶିକ୍ଷକତା ଆଉଆଗକୁ ରହିନପାରେ। ତେଣୁ ଏହି ପରୀକ୍ଷା ଦେବାକୁ ଆଜି ତିନୋଟି ସେଣ୍ଟରରେ ୭୪୨ ଜଣ ପ୍ରାଥମିକ ଶିକ୍ଷକ ପରୀକ୍ଷା ଦେଉଥିବା ବେଳେ ଗୋଟିଏ ସେଣ୍ଟରରେ ମୋଟ ୧୩୫ ଜଣ ବିଏଡ ଶିକ୍ଷକ ପରୀକ୍ଷା ଦେଉଥିଲେ।

ତେବେ ପରୀକ୍ଷା କେନ୍ଦ୍ରଗୁଡିକ ହେଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ। ଏହି ପରୀକ୍ଷାର ପ୍ରଶ୍ନଗୁଡିକ ପୂର୍ବରୁ ହିଁ ପରୀକ୍ଷା କେନ୍ଦ୍ରଗୁଡିକରେ ପହଞ୍ଚିଯାଇଥିଲା। ତେବେ ସବୁ ପ୍ରଶ୍ନଗୁଡିକ ସିଲ ହୋଇ ରହିଥିଲା।ତେବେ କିପରି ଏହି ପ୍ରଶ୍ନର ସମସ୍ତ ଉତ୍ତର ବାହାରେ ବିକ୍ରି ହେଉଥିଲା ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି।ପ୍ରଥମ ସିଟିଂରେ ଯେଉଁ ପରୀକ୍ଷା ହେଉଥିଲା। ସେଥିରେ ୧୫୦ଟି ପ୍ରଶ୍ନ ରହିଥିଲା।ସମସ୍ତ ୧୫୦ଟି ପ୍ରଶ୍ନର ଉତ୍ତର ବାହାରେ କପି ହୋଇ ବିକ୍ରି ହେଉଥିଲା। ତେବେ ଏହା ଲୁଚାଛପାରେ ବିକ୍ରି ହେଉଥିଲା।ପ୍ରତ୍ୟେକ ଶିକ୍ଷକମାନଙ୍କ ପାଖରେ ୫ ହଜାର ଟଂକା ଲେଖାଏଁ ନେଇ ଏହି ଉତ୍ତର ସିଟ ପ୍ରଦାନ କରାଯାଉଥିବା ଜଣାପଡିଛି। ଏତେ ସୁରକ୍ଷା ମଧ୍ୟରେ ପରୀକ୍ଷା ହେଉଥିଲେ ମଧ୍ୟ ପ୍ରଶ୍ନପତ୍ରର ସମସ୍ତ ଉତ୍ତର ନେଇଶିକ୍ଷକମାନେ କପି କରି ପାସ ହେବେ ବୋଲି କୁହାଯାଇଛି।

ତେବେ ଏହି ଉତ୍ତର ପତ୍ର ଯେଉଁ ଶିକ୍ଷକମାନେ ପାଇ ନାହାନ୍ତି ସେମାନେ କ୍ଷୋଭ ପ୍ରକାଶ କରୁଥିଲେ। କାରଣ ସେମାନେ ପାଠ ପଢି ପରୀକ୍ଷା ଦେଉଥିବା ବେଳେ ଅନ୍ୟ ଶିକ୍ଷକମାନେ କପି କରି ପାସ କରିଯିବାର ଭୟ ରହିଥିଲା। ଏନେଇ ବିଭାଗୀୟ ଅଧିକାରୀ କିଛି ଜାଣିନଥିବା ସଫେଇ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନାଙ୍କୁ ପଚାରିବାରୁ ସେ ଏ ସଂପର୍କେ କିଛି ଜାଣିନଥିବା କହିବା ସହ ଯଦି ଏଭଳି ହୋଇଛି ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ପରୀକ୍ଷା କେନ୍ଦ୍ରର ତଦାରଖ କରିବାର ଦାୟୀତ୍ବରେ ରହିଥିବା ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ମଧ୍ୟ ପରୀକ୍ଷା କେନ୍ଦ୍ରରେ କୌଣସି କପି କିମ୍ବା ଅନ୍ୟ ଉତ୍ତର ପ୍ରଦାନ ନଥିବା କହିଥିଲେ। ଖୁବ ଶାନ୍ତିଶୃଙ୍ଖଳାରେ ପରୀକ୍ଷା ସମାପ୍ତ ହୋଇଥିବା କହିଥିଲେ। ତେବେ କିଏ ଏହି ପ୍ରଶ୍ନଗୁଡିକକୁ ଲିକ କରିଛି ଏବଂ ୫ ହଜାର ଟଂକାରେ ଉତ୍ତର ପତ୍ରଗୁଡିକ ବିକ୍ରି କରୁଛି ତାହା ତଦନ୍ତ ସାପେକ୍ଷ।ଶିକ୍ଷା ବିଭାଗର ହିଁ କେହି ଜଣେ ଏହି ପ୍ରଶ୍ନ ପତ୍ରକୁ ଲିକ କରିବା ସହ ଏହାକୁ ବଜାରରେ ଚଢା ଦରରେ ବିକ୍ରି କରି ଲକ୍ଷ ଲକ୍ଷ ଟଂକା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଦୁର୍ନୀତିରେ ଯେଉଁମାନେ ସଂପୃକ୍ତ ରହିଛନ୍ତି ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର