ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ରେ ବହୁ ଚର୍ଚ୍ଚିତ ଜାଲ ଓଟିଇଟି ପରୀକ୍ଷା କୃତକାର୍ଯ୍ୟ ସାର୍ଟିଫିକେଟ ଦାଖଲ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୨ଜଣ ଗଣ ଶିକ୍ଷା ସହାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁକ୍ତିଭିତ୍ତିକ ଚାକିରିରୁ ବହିଷ୍କାର କରାଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦେଶ ଅନୁଯାୟୀ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହରଭଙ୍ଗା ବ୍ଲକ୍ର ବନ୍ଧାପଥର ସ୍କୁଲର ଶିକ୍ଷକ ଜନ୍ମଜୟ ଭବସାଗର, ନକୁଆନାଳି ସ୍କୁଲର ଶିକ୍ଷକ ଦିଲ୍ଲୀପ ଭଞ୍ଜ, ଚମ୍ପାପୁର ସ୍କୁଲର ଶିକ୍ଷୟିତ୍ରୀ ସୁନନ୍ଦାମୟୀ ମିଶ୍ର, କେଲାକଟା ସ୍କୁଲର ନଳିନୀ ବିଶ୍ୱାଳ, ପିପଲକଟା ସ୍କୁଲର ରବୀନ୍ଦ୍ର ପାତ୍ର, ମୂଷାଡ଼ ସ୍କୁଲର ପ୍ରକାଶ ଚନ୍ଦ୍ର ସିଂ, କମ୍ଭୁନାଥପୁର ସ୍କୁଲର ସତ୍ୟବାଦୀ ଚାଉଳିଆ, ହରଭଙ୍ଗା ସ୍କୁଲର ସୁଜାତା ସୁନ୍ଦରୀ ପାଣିଗ୍ରାହୀ, ଯାଜପୁର ସ୍କୁଲର ଚିତ୍ତରଞ୍ଜନ ମିଶ୍ର, ପରଗଲପୁର ସ୍କୁଲର ବିକାଶ ପ୍ରଧାନ, ରତନପୁର ସ୍କୁଲର କୁମୁଦିନୀ ବସ୍ତିଆ, ଭେଜିଗୋରା ସ୍କୁଲର ପ୍ରମୋଦ ସାହୁ, ସାମ୍ପୋଚ ସ୍କୁଲର ରଶ୍ମିତା ମହାପାତ୍ର, ରାଧାନଗର ସ୍କୁଲର ତପସ୍ୱିନୀ ବିଶ୍ୱାଳ, ବାରବାଣୀ ସ୍କୁଲର ତୁଳସୀ ଭୋଇ, ବାଘପାଲି ସ୍କୁଲର ଉମେଶ ମହାକୁଡ଼, ଚନ୍ଦ୍ର ଶେଖର ରଥ, ଖରସଙ୍କୁଲେଇ ସ୍କୁଲର ଶିକ୍ଷକ ବସନ୍ତ ହୋତା, କାନ୍ଦ୍ରା ସ୍କୁଲର ଚକ୍ରଧର ଦୀପ, ବୀରନରସିଂହପୁର ସ୍କୁଲର ରଶ୍ମିତା ପତି, ତଳଗାଁ ସ୍କୁଲର ସୁଜାତା ସାହୁ, ଚାରିଛକ ସ୍କୁଲର କୃଷ୍ଣ ସାହୁ ପ୍ରମୁଖଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲା ସ୍କୁଲ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ୮୯ ଜଣ ଗଣ ଶିକ୍ଷକ ରେଗୁଲାର ଶିକ୍ଷକ ହେବା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରିବା ସକାଶେ ଦାଖଲ କରିଥିବା ପ୍ରମାଣପତ୍ର ଯାଞ୍ଚ ବେଳେ ସେଥି ମଧ୍ୟରୁ ୪୯ ଜଣଙ୍କ ଓଟିଇଟି ପାସ୍ ପ୍ରମାଣପତ୍ର ଜାଲ୍ ଦେଇଥିବା ଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଗତ ମାସରେ ପଦାକୁ ଆସିଥିଲା। ସମ୍ପୃକ୍ତ ଶିକ୍ଷକଙ୍କୁ ଡିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଥିଲା। ପରବର୍ତ୍ତୀ ସମୟରେ ଏହାର ବିଚାର କରାଯାଇ ଶେଷରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/teachers-ff.jpg)