ଓଟିଇଟି ପରୀକ୍ଷା ବାତିଲ୍‌ ପ୍ରସଙ୍ଗ : ଆନ୍ଦୋଳନ କରିବେ ସହକାରୀ ଓ ଗଣଶିକ୍ଷକ

ଭୁବନେଶ୍ବର : ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ବାତିଲ୍‌ ପରେ ଦାନା ବାନ୍ଧୁଛି ଆନ୍ଦୋଳନ। ପରୀକ୍ଷା ବାତିଲ୍‌ ଦିନ ଏବିଭିପି ଓ ବିଜେପି ଯୁବମୋର୍ଚ୍ଛା କର୍ମୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ପରୀକ୍ଷାର୍ଥୀମାନେ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି। ପରୀକ୍ଷା ବାତିଲ୍‌ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବା ସହ ପ୍ରଥମ ପେପର୍‌ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ଫଳ ତୁରନ୍ତ ପ୍ରକାଶ କରିବାକୁ ରାଜ୍ୟ ସହକାରୀ(ଏକ୍ସ କ୍ୟାଡର) ଓ ଗଣଶିକ୍ଷକ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ସାମ୍ବାଦିକ ସଂଘରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ କହୁଯାଇଛି ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟରତ ସହକାରୀ ଶିକ୍ଷକମାନେ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଓଟିଇଟି ଯୋଗ୍ୟତା ହାସଲ କରିବା ପାଇଁ ନିର୍ଦେଶନାମା ଜାରି ହୋଇଛି। ଯଦି ଓଟିଇଟି ଯୋଗ୍ୟତା ହାସଲ ନ କରନ୍ତି ତେବେ ସେମାନଙ୍କୁ ଇନ୍‌କ୍ରିମେଣ୍ଟ ଦିଆଯିବ ନାହିଁ। ବଳି ପଡ଼ିଥିବା ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହେବେ। ବାରମ୍ବାର ଆନ୍ଦୋଳନ ଓ ଧର୍ମଘଟ ପରେ ବହୁ ବିଳମ୍ବରେ ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଗଲା। ଫର୍ମ ପୂରଣ ସହ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପରୀକ୍ଷା ଦେବା ପରେ ବାହାରକୁ ଆସିବା ପରେ ପରୀକ୍ଷା ବାତିଲ୍‌ ହୋଇଥିବା ଜାଣିବାକୁ ପାଇ ହତୋତ୍ସାହିତ ହୋଇପଡ଼ିଥିଲେ।

ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା। ସୋସିଆଲ୍‌ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବାକୁ ଆଧାର କରି ସମ୍ପୂର୍ଣ୍ଣ ପରୀକ୍ଷାକୁ ବାତିଲ୍‌ କରାଗଲା। ଏଥିରେ ପରୀକ୍ଷାର୍ଥୀଙ୍କର କେଉଁଠି ଭୁଲ୍‌ ରହିଲା? ସେମାନେ କାହିଁକି ହଇରାଣ ହେବେ? ସତ୍ୟାସତ୍ୟ ଅନୁସନ୍ଧାନ ନ କରି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ପରିଷଦ କର୍ତୃପକ୍ଷ କାହିଁକି ଖେଳିଲେ ବୋଲି ମହାସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପିଲାମାନେ ପ୍ରଥମ ସିଟିଂ ପରୀକ୍ଷା ଦେଇଛନ୍ତି ସେମାନଙ୍କ ଫଳ ପ୍ରକାଶ କରାଯାଉ। ଦ୍ବିତୀୟ ସିଟିଂ ପରୀକ୍ଷା ତୁରନ୍ତ କରାଯାଉ। ନ ହେଲେ ବ୍ୟାପକ ଆନ୍ଦୋଳନ ହେବ। ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପରିଷଦ କର୍ତୃପକ୍ଷ ଦାୟୀ ରହିବେ ବୋଲି ମହାସଂଘର ସାଧାରଣ ସମ୍ପାଦକ ବୁଲୁ ବେହେରା, ସଭାପତି ଶିବଲାଲ ସାହୁ, କାର୍ଯ୍ୟକାରୀ ସଭାପତି ତ୍ରି‌ଲୋଚନ ବିଶ୍ବାଳ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର