କଟକ : ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଭାଇରାଲ୍ ହେବା କାରଣରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)କୁ ଅଧାରୁ ବାତିଲ କରାଯାଇଛି। ଓଟିଇଟିର ପ୍ରଥମ ପେପର ପରୀକ୍ଷା ସରିବା ପରେ ଏହି ପ୍ରଶ୍ନପତ୍ର ଭାଇରାଲ ଘଟଣା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦ୍ବିତୀୟ ପେପର ପରୀକ୍ଷାକୁ ବନ୍ଦ କରାଯିବା ସହିତ ସଂପୂର୍ଣ୍ଣ ପରୀକ୍ଷାକୁ ବାତିଲ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପରେ ନୂଆ ପରୀକ୍ଷା ସୂଚୀ ପ୍ରସ୍ତୁତି କରି ଏହି ପରୀକ୍ଷାକୁ ପୁଣି ଥରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
ଆଜି ପେପର-୧ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଜଣାପଡ଼ିଥିଲା। ବୋର୍ଡ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଖବର ପାଇବା ପରେ ପରୀକ୍ଷାର ମୂଳପତ୍ର ସହିତ ଭାଇରାଲ ହୋଇଥିବା ପ୍ରଶ୍ନପତ୍ରକୁ ମିଳାଇଥିଲେ। ଏହା ସଂପୂର୍ଣ୍ଣ ମିଶି ଯାଇଥିଲା। ପ୍ରଶ୍ନପତ୍ର ଲିକ୍ ହେବା ଓ ପରେ ସୋସିଆଲ୍ ମିଡିଆରେ ପ୍ରଘଟ ହେବା ସ୍ପଷ୍ଟ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ପେପର-୨ ପରୀକ୍ଷାକୁ ବାତିଲ କରିବା ସହ ଏହି ପରୀକ୍ଷା ସାନି କରାଇବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏହି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା କିଛି ଅଭିଭାବକ ଅଭିଯୋଗ କରିଥିଲେ।
ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଜଣାପଡ଼ିବା ପରେ ଭାଇରାଲ ହୋଇଥିବା ପ୍ରଶ୍ନକୁ ବୋର୍ଡ ପ୍ରଶ୍ନ ସହିତ ମେଳ କରା ଯାଇଥିଲା। ଉଭୟ ପେପର-୧ ଓ ପେପର-୨ ଭାଇରାଲ ପ୍ରଶ୍ନପତ୍ର ସହିତ ମେଳ ଖାଉଥିବାରୁ ଉଭୟ ପରୀକ୍ଷାକୁ ରଦ୍ଦ କରାଯାଇଛି।
ଏବେ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ଚାଲିଥିବାରୁ ଆଉ ଜରୁରିକାଳୀନ ଭିତ୍ତିରେ ଓଟିଇଟି ପରୀକ୍ଷା କରିବା ସମ୍ଭବ ନୁହେଁ। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସରିବା ପରେ ଏହି ପରୀକ୍ଷା କରାଯିବାକୁ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ବିଷୟରେ ବୋର୍ଡ ସଂପାଦକ ରମାଶିଷ ହାଜରା କ୍ରାଇମ ବ୍ରାଞ୍ଚ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି। କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଜଣେ ଇନ୍ସପେକ୍ଟଟର ଓ ସାଇବର ବିଶେଷଜ୍ଞଙ୍କୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟର ୨୫୦ଟି ପରୀକ୍ଷା କେନ୍ଦ୍ରରେ ଆଜି ଏହି ପରୀକ୍ଷା ହେଉଥିବାବେଳେ ମୋଟ ୧ ଲକ୍ଷ ୧୨ ହଜାର ୭୧୭ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ପେପର-୧ରେ ୭୦ ହଜାର ୬୦୧ ଓ ପେପର-୨ରେ ୪୨ ହଜାର ୧୧୬ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ।
ଓଟିିିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେବା- ଏହା ପ୍ରଥମ ଘଟଣା। ପୂର୍ବରୁ ୨୦୧୩ ମାଟ୍ରିକ ପରୀକ୍ଷାରେ ମଧ୍ୟ ପ୍ରଶ୍ନପତ୍ର ଚୋରି ହୋଇଥିଲା। ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ଏଭଳି ଘଟଣା ବୋର୍ଡ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ଘଟଣାର ତଦନ୍ତ ପାଇଁ ବୋର୍ଡ ପକ୍ଷରୁ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ େହାଇଥିବା ବେଳେ ଆସନ୍ତାକାଲିଠାରୁ ଘଟଣାର ତଦନ୍ତ କରାଯିବାକୁ କ୍ରାଇମ୍ବ୍ରାଞ୍ଚ ସାଇବର୍ ସେଲ୍ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ ଆସନ୍ତାକାଲି ପ୍ରଥମେ ବୋର୍ଡ କାର୍ଯ୍ୟାଳୟକୁ ଯାଇ ଘଟଣାର ଛାନ୍ଭିନ୍ ଆରମ୍ଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/oter-1.jpg)