ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ ଉପରେ ରୋକ୍‌

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ କରି ସେମାନଙ୍କୁ ସହକାରୀ ଶିକ୍ଷକ ଭାବେ ଗଣଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗଣଶିକ୍ଷକମାନେ ପୂର୍ବ ଭଳି କାର୍ଯ୍ୟ କରିବାରେ କୌଣସି ବାଧା ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଏହି ମାମଲାରେ ଗଣଶିକ୍ଷା ବିଭାଗକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଓଟିଇଟି ପାସ୍‌ ହୋଇଥିବାବେଳେ ଗଣଶିକ୍ଷକଙ୍କ ଚାକିରି ନିୟମିତ ବେଳେ ଏଥିରେ ଅବହେଳା କରାଯାଉଛି। ସହକାରୀ ଶିକ୍ଷକ ପଦ ପାଇଁ ଓଟିଇଟି ପାସ୍‌ ସର୍ବନିମ୍ନ ଯୋଗ୍ୟତା ହୋଇଥିବା ବେଳେ ଏପରି ବିଜ୍ଞପ୍ତି ମାଧ୍ୟମରେ ଏହି ନିୟମ ଉଲ୍ଲଙ୍ଘନ ହୋଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହା ଉପରେ ଆଜି ହାଇକୋର୍ଟଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର