ଓଟିଇଟି ପରୀକ୍ଷାପତ୍ର ଭୁଲ ଦର୍ଶାଇ ତାତିଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଗତ ଅଗଷ୍ଟ ମାସ ୫ ତାରିଖରୁ ସେପ୍ଟେମ୍ବର ୨୨ ତାରିଖ ଯାଏଁ ହୋଇଥିବା ଓଟିଇଟି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ପ୍ରତିନିଧି ମଣ୍ଡଳୀ ତାତିଛନ୍ତି | ପରୀକ୍ଷାରେ ସାଙ୍ଘାତିକ ତ୍ରୁଟି ହୋଇଥିବାର ଦର୍ଶାଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି | ଆସନ୍ତା ୧୩ ତାରିଖ ସୁଦ୍ଧା ଏହାର କୌଣସି ସମାଧାନ ନ ହେଲେ ୧୪ ତାରିଖରେ ଓଡ଼ିଶାର ହଜାର ହଜାର ଓଟିଇଟି ପରୀକ୍ଷାର୍ଥୀ କଟକସ୍ଥିତ କାର୍ଯ୍ୟାଳୟ ଘେରାଉ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି |

ରାଜ୍ୟ ସହକାରୀ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକଙ୍କ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପ୍ରତିନିଧିମଣ୍ଡଳୀ ଭାବେ କିଛି ସାଙ୍ଘାତିକ ଅଭିଯୋଗ ଅଣାଯାଇଛି | ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ରରେ ଓଡ଼ିଆ ଭାଷାକୁ ବିକୃତ ଭାବେ ପ୍ରସ୍ତୁତ କରାଯିବା ସହ ପ୍ରଶ୍ନର ସଠିକ ଉତ୍ତର ପରିବର୍ତ୍ତେ ଭୁଲ ଉତ୍ତରକୁ ସଠିକ ଭାବେ ବୋର୍ଡ କର୍ତୃପକ୍ଷ ଦର୍ଶାଇଥିବାର ଅଭିଯୋଗ ଆଣିଛନ୍ତି |

ଉଦାହରଣ ସ୍ୱରୂପ ମହକ ଶବ୍ଦର ପ୍ରତିଶବ୍ଦ ଭାବେ ପ୍ରଶ୍ନ ପଚରାଯାଇଥିବାବେଳେ ଏହାର ସମ୍ଭାବିତ ଉତ୍ତର ଭାବେ ଚାରିଟି ଅପସନ ଦିଆଯାଇଛି | ପ୍ରଥମଟି ବାସ୍ନା, ଦ୍ୱିତୀୟଟି ଦୁର୍ଗନ୍ଧ, ତୃତୀୟଟି ଗନ୍ଧ ଓ ଚତୁର୍ଥଟି ମିଠା ବାସ୍ନା ବୋଲି ପଚରାଯାଇଥିଲା | ଏହାର ସଠିକ ଉତ୍ତର ମିଠା ବାସ୍ନା ହୋଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରକାଶିତ ଉତ୍ତରରେ ମହକର ପ୍ରତିଶବ୍ଦ ଦୁର୍ଗନ୍ଧ ବୋଲି ଲେଖାଯାଇଛି, ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି |

ସମ୍ବନ୍ଧିତ ଖବର