ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା : କ୍ରାଇମବ୍ରାଞ୍ଚ ତଦନ୍ତକୁ ଭୟ କାହିଁକି?

ଭୁବନେଶ୍ୱର : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା ଆଜି ନୂଆ ମୋଡ଼ ନେଇଛି। ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ବିଏସ୍‌ଇ(ମାଧ୍ୟମିକ ଶିକ୍ଷା ପରିଷଦ) ଚିଠି ଲେଖିଥିଲେ ହେଁ କମିସନରେଟ୍‌ ପୁଲିସ ଏହାର ତଦନ୍ତ କରିବାକୁ ଯାଉଛି। ମଙ୍ଗଳାବାଗ ଥାନାରେ ଏ ନେଇ ପରିଷଦ ପକ୍ଷରୁ ଗତକାଲି ବିଧିବଦ୍ଧ ଏତଲା ଦିଆଯିବା ପରେ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଏତଲା ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ପରିଷଦର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି କିଏ ଓ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ନେଇଗଲା ଓ ଏହା କିଭଳି ସୋସିଆଲ ମିଡିଆରେ ଭାଇରାଲ ହେଲା, ସେ ନେଇ ତଦନ୍ତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅପରପକ୍ଷେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରସଙ୍ଗରେ ସେ କହିଛନ୍ତି, ସରକାର ଏହାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ନାହାନ୍ତି। ଆମ ପାଖରେ ଏତଲା ହୋଇଛି। ଆମେ ତଦନ୍ତ କରିବା ପାଇଁ ସକ୍ଷମ। ତେବେ ଘଟଣାର ଏହି ନୂଆ ମୋଡ଼କୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍‌ ହେବା ଘଟଣା ପଦାକୁ ଆସିବା ପରେ ବିଏସ୍‌ଇ ଅଧ୍ୟକ୍ଷା କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଥିଲେ। କିନ୍ତୁ ଥାନାରେ ଏତଲା ଦେଇନଥିଲେ। ଗତକାଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଏ ସଂପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ଦେବା ପରେ ୪୮ ଘଣ୍ଟା ଚାପି ହୋଇ ରହିଥିବା ବିଏସ୍‌ଇ କର୍ତ୍ତୃପକ୍ଷ ଗତ ରାତିରେ ଏତଲା ଦେଇଥିଲେ। ଏତଲା ଦେବା ପରେ ଜଣାପଡ଼ୁଥିଲା କ୍ରାଇମ୍‌ବ୍ରାଞ୍ଚ ସ୍ବତଃପ୍ରବୃତ ଭାବରେ ତଦନ୍ତ ଆରମ୍ଭ କରି‌ବ। କିନ୍ତୁ ପୁଲିସ କମିସନର୍‌ ଆଜି ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ପରେ କ୍ରାଇମ୍‌ବ୍ରାଞ୍ଚ ନିରବି ଯାଇଛି। ଏଥିରେ ମୁଣ୍ତ ପୂରାଇବାକୁ ଚାହିଁ ନାହିଁ। କିନ୍ତୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଥିବା କହିଛି।

ଅପରପକ୍ଷେ ଘଡ଼ିକେ ଘୋଡ଼ା ଛୁଟିବା ଭଳି ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବାରମ୍ବାର ସ୍ଥିତି ବଦଳୁଥିବାରୁ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଉଥିବା ନେଇ ଅଭିଯୋଗ ହୋଇଛି। କିଛି ଅଭିଯୋଗକାରୀ କହିଛନ୍ତି, ପୁଲିସ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ପୂର୍ବରୁ ଅନେକ ଘଟଣାରେ ମୂଳ ପର୍ଯ୍ୟନ୍ତ ପହଞ୍ଚିବାରେ ପୁଲିସ ଫେଲ ମାରିଥିବା ବେଳେ କେତେକ ତଦନ୍ତ ଚାପରେ ଚେପା ହୋଇଯିବାର ମଧ୍ୟ ନଜିର ରହିଛି। ଏବେ ଏହି ସମ୍ବେଦନଶୀଳ ମାମଲାକୁ ଚାପିବା ପାଇଁ ମଧ୍ୟ ପୁଲିସ ଏଭଳି ଦମ୍‌ ପ୍ରଦର୍ଶନ କରୁଛି ବୋଲି ଚର୍ଚ୍ଚା ହେଉଛି। ତେବେ ପୁଲିସ କମିସନର କହିଛନ୍ତି, ପୁଲିସ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ତଦନ୍ତ ହେବ। ଏଥିରେ କୌଣସି ପ୍ରଶ୍ନ ଉଠିବା ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର