ଓଟିଇଟି ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ଭୁବନେଶ୍ବର : ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ହୋଇଥିବା ନେଇ ସହକାରୀ ଶିକ୍ଷକ ମହାସଂଘ ଓ ଗଣଶିକ୍ଷକ ମହାସଂଘ ଅଭିଯୋଗ କରିଛି। ପରୀକ୍ଷାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ଆନ୍ଦୋଳନ ଲାଗି ସଜବାଜ ହେଉଛନ୍ତି। ସହକାରୀ ଶିକ୍ଷକ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବର୍ଷକୁ ଦୁଇ ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବା ବେଳେ ପରୀକ୍ଷା କେବେ ହେଉଛି, ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର୍‌ ଦେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି। ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ ଭାଷାର ସାମଞ୍ଜସ୍ୟତା ରହୁ ନାହିଁ। ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ରହିଛି। ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ଠିକ୍‌ ଭାବେ ବୁଝିପାରୁ ନାହାନ୍ତି। ଏହାବ୍ୟତୀତ ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ ବେଳେ ସଠିକ୍‌ ସୂଚନା ଦିଆଯାଇ ନାହିଁ। ୪୫ବର୍ଷରୁ ଅଧିକ ବୟସର ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର ଜ୍ଞାନ ନଥିବା ବେଳେ ଚଳିତ ବର୍ଷର ଅନ୍‌ଲାଇନ୍‌ ଓଟିଇଟି ପରୀକ୍ଷାର୍ଥୀ ମାନସିକସ୍ତରରେ ଆଘାତ ସୃଷ୍ଟି କରିଛି। ଏପରିକି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାକୁ ୨୫୦କିମି ପର୍ଯ୍ୟନ୍ତ ଯିବାକୁ ପଡ଼ିଛି। ଏଭଳି ଖାମଖିଆଲି ପରୀକ୍ଷା ପରିଚାଳନାକୁ ବିରୋଧ କରି ମହାସଂଘ ନିନ୍ଦା କରିଛି। ଏ ଦିଗରେ ବୋର୍ଡ କର୍ତୃପକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ, ସଚିବ ହସ୍ତକ୍ଷେପ କରନ୍ତୁ ବୋଲି ମହାସଂଘର ସଭାପତି ଶିବଲାଲ୍‌ ସାହୁ ଓ ସାଧାରଣ ସମ୍ପାଦକ ବୁଲୁ ବେହେରା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର