କଟକ: ୨୦୨୨ରେ ମାଲକାନଗିରି ଜିଲ୍ଲାରେ ଦୁଇ ଥର ଓଟିଇଟି ପ୍ରଶ୍ନପତ୍ରର ଉତ୍ତର ନକଲ ଭାଇରାଲ୍ ଘଟଣାରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାର ସମ୍ପୃକ୍ତି ରହିଥିଲା। କିନ୍ତୁ ସେହି ଘଟଣାରେ ଜିତନର ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଡକ୍ଟର ନିହାର ରଞ୍ଜନ ମହାନ୍ତି କୋହଳ କରିଥିଲେ। ଏହି ଘଟଣାରେ ଜିତନ ସମେତ ତିନି ଜଣଙ୍କ ସମ୍ପୃକ୍ତି ସାମନାକୁ ଆସିଥିଲା। କିନ୍ତୁ ଘଟଣାକୁ ବୋର୍ଡ କର୍ତ୍ତୃପକ୍ଷ ଚାପିଦେଇଥିବାରୁ ଏହି ଫାଇଲ୍ ଖୋଲିବାକୁ ଯାଉଛି କ୍ରାଇମବ୍ରାଞ୍ଚ। ଅନ୍ୟପଟେ ନିକଟରେ ଘଟିଥିବା ଓଟିଇଟି କେଳେଙ୍କାରୀରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଜିତନ ମହାରଣା ଓ ସହଯୋଗୀ ବିଜୟ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି।

Advertisment

ସୂଚନା ଅନୁଯାୟୀ, ୨୦୧୪ରୁ ବୋର୍ଡର କଣ୍ଟ୍ରୋଲର ଦାୟିତ୍ବରେ ଥିବା ଡକ୍ଟର ନିହାର ରଞ୍ଜନ ମହାନ୍ତି ୨୦୨୧ ମେ’ ୨୮ରୁ ବୋର୍ଡର ଉପସଭାପତି ଦାୟିତ୍ବ ତୁଲାଇଥିଲେ। ଦାୟିତ୍ବ ନେବାର ବର୍ଷକ ଭିତରେ ପ୍ରଥମ କେଳେଙ୍କାରୀ ୨୦୨୨ରେ ହୋଇଥିଲା। ମାଲକାନଗିରି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ତାଙ୍କର ଭୂମିକା ସବୁଠାରୁ ଅଧିକ ରହସ୍ୟଜନକ ଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିଛି। ଜିଲ୍ଲା ସଦର ମହକୁମାରେ ୨୦୨୨ ଅଗଷ୍ଟ ୨୯ରେ ତିନିଟି ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ରର ଉତ୍ତର ଲିକ୍ ହୋଇଥିବା ବେଳେ ଦ୍ବିତୀୟ ଥର ଅକ୍ଟୋବର ୧୪ରେ ମଧ୍ୟ ସମାନ ସ୍ଥିତି ହୋଇଥିଲା। ସେଥିରେ ଜିତନ ମହାରଣା ଓ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସଂପୃକ୍ତି ଥିଲା। ବୋର୍ଡ ଉଭୟଙ୍କୁ ସିକ୍ରେଟ୍ ଵିଙ୍ଗ୍‌ରୁ ବାଦ୍ ଦେଇଥିଲା। କିନ୍ତୁ ମାତ୍ର ଦୁଇ ମାସ ଭିତରେ ଡକ୍ଟର ମହାନ୍ତିଙ୍କ ସୁପାରିସ୍ ଅନୁଯାୟୀ ପୁଣି ସେମାନଙ୍କୁ ବୋର୍ଡରେ ପୂର୍ବ ଭଳି କାର୍ଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ ପରେ ମାଲକାନଗିରିରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲେ ବି ବୋର୍ଡ ପକ୍ଷରୁ କ୍ରାଇମବ୍ରାଞ୍ଚରେ କୌଣସି ଏତଲା ଦିଆଯାଇ ନଥିଲା। ଏବେ ପୁଣି ଥରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିବାକୁ ଯାଉଛି। 

ଅନ୍ୟପଟେ ଚୌଦ୍ବାର ସର୍କଲ ଜେଲ୍‌ରେ ଥିବା ଡାଟା ଏଣ୍ଟ୍ରି ଅପରେଟର ଜିତନ ଓ ରାଜ୍ୟ ପୂର୍ବତନ କ୍ୟାଡର୍‌ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଅଣାଯାଇଛି। କ୍ରାଇମବ୍ରାଞ୍ଚ ଡିଆଇଜି ବାତୁଳା ଗଙ୍ଗାଧରଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ୍ ଉଭୟଙ୍କୁ ଜେରା କରୁଛନ୍ତି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ୫ଟି ଟିମ୍ ଗଠନ କରିଛି। ଏହି ଟିମ୍ କଟକ ସମେତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଉକ୍ତ ଜିଲ୍ଲାରେ ଯେଉଁ ଶିକ୍ଷକମାନେ ପ୍ରଶ୍ନପତ୍ରର ଉତ୍ତର କିଣିଛନ୍ତି ଏବଂ ଯେଉଁ ଜେରକ୍ସ ଦୋକାନରେ ପ୍ରିଣ୍ଟ ହୋଇଛି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ସାକ୍ଷୀ ଭାବେ ଦର୍ଶାଇଛି। ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ଜିଲ୍ଲାରେ ୫୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।