କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପୂର୍ବତନ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କ ହାଇକୋର୍ଟରେ ଜାମିନ ଶୁଣାଣି ଘୁଞ୍ଚିଛି। ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶ୍ରୀ ମହାନ୍ତି, ବୋର୍ଡର ଡାଟାଏଣ୍ଟ୍ରି ଅପରେଟର୍ ଜିତନ ମହାରଣା, ବିଜୟ କୁମାର ମିଶ୍ର, ରାମଜୀପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ଖମାରୀ, ସନାତନ ବିଶୋୟୀଙ୍କ ନିୟମିତ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି ହୋଇଥିଲା। ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ଜୟନ୍ତ କୁମାର ରାଉତଙ୍କ ଜାମିନ ଆବେଦନର ଶୁଣାଣି ସେପ୍ଟେମ୍ବର ୨୫କୁ ଧାର୍ଯ୍ୟ ହୋଇଥିବା ସ୍ପଷ୍ଟ ହୋଇଥିଲା।
ଫଳରେ ସମସ୍ତ ନିୟମିତ ଜାମିନ ଆବେଦନ ସେପ୍ଟେମ୍ବର ୨୫ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ଦାଖଲ କରିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପୂର୍ବତନ ଉପସଭାପତି ଶ୍ରୀ ମହାନ୍ତିଙ୍କ ସହିତ ବୋର୍ଡର ଡାଟାଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ଅନ୍ୟମାନଙ୍କୁ ଗିରଫ କରିଥିଲା। କଟକ ଅତିରିକ୍ତ ଦୌରାଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ମହାନ୍ତି ଓ ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।