ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ : କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ମନ୍ତବ୍ୟ ପରେ ଏତଲା

ଭୁବନେଶ୍ୱର : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ)ର ଖାମଖିଆଲି ନୀତି ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ମନ୍ତବ୍ୟ ପଦାକୁ ଆସିବା ପରେ ଆଜି ରାତିରେ ତରବରିଆ ଭାବେ ମଙ୍ଗଳାବାଗ ଥାନାରେ ଏତଲା ଦାୟର୍‌ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ନେଇ ବିଏସ୍‌ଇ ପକ୍ଷରୁ ଥାନାରେ ଏତଲା ଦିଆଯାଇନଥିବାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇପାରୁନାହିଁ ବୋଲି ଆଜି ଅପରାହ୍‌ଣରେ ଏଡିଜି ସନ୍ତୋଷ ଉପାଧ୍ୟାୟ ଗଣମାଧ୍ୟମରେ ମନ୍ତବ୍ୟ ରଖିଥିଲେ। ଏହା ପରେ ବିଏସ୍‌ଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ୪୮ ଘଣ୍ଟା ଧରି ନିରବ ବସିଥିବା ବିଏସ୍‌ଇ କତ୍ତୃର୍ପକ୍ଷ ଆଜି ରାତି ପାଖାପାଖି ୮ଟାରେ ଏତଲା ଦାୟର୍‌ କରିଥିଲେ।

ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ଓଟିଇଟି ପରୀକ୍ଷା ବାତିଲ ହୋଇଥିଲା। ହଜାର ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳ ଖେଳାଯାଇଥିବା ତଥା ଗୁପ୍ତ ତଥ୍ୟ ପଦାରେ ପଡ଼ିଥିବାରୁ ଏହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ)ପକ୍ଷରୁ କୁହାଯାଇଥିଲା। କିନ୍ତୁ ତଦନ୍ତ ଦୂରେ ଥାଉ, ଏତଲା ଖଣ୍ଡେ ଦିଆଯାଇନଥିଲା। ମାମଲା ରୁଜୁ ନ ହେବା ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିପାରିବ ନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ।

ମାମଲା ପଛରେ କିଛି ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ତଥା ମାମଲାର ତଦନ୍ତ ହେଲେ ଅନ୍ୟ ‌କେତେକଙ୍କ ମୁଖା ‌ଖୋଲିବା ଆଶଙ୍କା ଥିବାରୁ ଏହାକୁ ଚାପି ଦେବାକୁ ଯୋଜନା କରାଯାଉଥିଲା ବୋଲି ଅଭିଯୋଗ ହେଉଥିଲା।

ଗତ ବୁଧବାର ଓଟିଇଟି ପରୀକ୍ଷା ହୋଇଥା’ନ୍ତା। ରାଜ୍ୟର ସମସ୍ତ ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ପରୀକ୍ଷା ଆରମ୍ଭର ଅଧଘଣ୍ଟାଏ ପୂର୍ବରୁ ସେଟ୍‌-ବି’ର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ପ୍ରଶ୍ନପତ୍ର ସହ ଉତ୍ତର-ପତ୍ର ସୋସିଆଲ ମିଡିଆରେ ଘୂରି ବୁଲୁଥିଲା। ଏହା ପରେ ପରୀକ୍ଷା ବାତିଲ ହୋଇଥିବା ନେଇ ବିଏସ୍‌ଇ ସ୍ପଷ୍ଟ କରିଥିଲା। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ସରକାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର