ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍: ସକାଳ ୭ରୁ ପ୍ରଶ୍ନ ଓ ଉତ୍ତର ସେଟ୍ ଭାଇରାଲ
ଜେରକ୍ସ ଦୋକାନରେ ଜେରକ୍ସ ପାଇଁ ଭିଡ଼
ରାଉରକେଲା: ଆଜି ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଓଟିଇଟି (ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ) ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଦୁଇଟି ସିଟିଂରେ ପେପର-୧ ଓ ପେପର -୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ପେପର-୧ରେ ୧୭୧୭ ଓ ପେପର -୨ରେ ୪୬୦ ଶିକ୍ଷକଶିକ୍ଷୟତ୍ରୀ ପରୀକ୍ଷା ଦେଇଛନ୍ତି। ପ୍ରଥମ ସିଟିଂ ପରୀକ୍ଷା ୮ଟାରୁ ସାଢ଼େ ୧୦ଟା ଥିବାବେଳେ ସକାଳ ୭ଟାରୁ ‘ଏ’ ସେଟ୍ରେ ପ୍ରଶ୍ନ ଓ ଉତ୍ତର ସିଟ୍ ଭାଇରାଲ ହୋଇଥିଲା। ଉଭୟ ପ୍ରଶ୍ନ ଓ ଉତ୍ତର ସିଟ୍ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲିଥିଲା। ଉଦିତନଗର ଥାନା ସମ୍ମୁଖ ଜେରକ୍ସ ଦୋକାନରେ ଉଭୟ ପ୍ରଶ୍ନ ଓ ଉତ୍ତର ସେଟ୍ ଜେରକ୍ସ କରିବାକୁ ଭିଡ଼ ପରିଲଖିତ ହୋଇଥିଲା।
କେବଳ ଉଦିତନଗର ନୁହେଁ ରାଉରକେଲା ଅନ୍ୟ ପରୀକ୍ଷା କେନ୍ଦ୍ର ନିକଟ ଜେରକ୍ସ ଦୋକାନରେ ମଧ୍ୟ ସମାନ ଭିଡ ହୋଇଥିଲା। ସେପଟେ ପରୀକ୍ଷା ହୋଇଥିବା ‘ଏ’ ସେଟ୍ ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ମେଳ ଖାଇଥିଲା। କିଛି ସେଣ୍ଟରରେ ପରୀକ୍ଷାର୍ଥୀମାନେ ଉତ୍ତର ସେଟ୍ରୁ କପି କରୁଥିଲାବେଳେ ମଧ୍ୟ ଧରାପଡିଛନ୍ତି। ଏହା ସତ୍ବେ ରାଉରକେଲା ୪ଟି କେନ୍ଦ୍ର ଓ ସୁନ୍ଦରଗଡରେ ୩ଟି କେନ୍ଦ୍ରରେ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କରାଯାଇଥିଲା। ୫ଟି ବିଷୟ ଯଥା, ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ, ଓଡ଼ିଆ, ଇଂରାଜୀ, ଗଣିତ ଓ ପରିବେଶ ବିଜ୍ଞାନ ପରୀକ୍ଷା ହୋଇଥିଲା। ପୁଣି ଦ୍ବିତୀୟ ସିଟିଂ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ପ୍ରଶ୍ନପତ୍ର ଭାଇରାଲ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଜାଣିପାରି ନଥିଲେ। ନା ଜାଣିଥିଲେ ମଧ୍ୟ ଚୁପ୍ ରହିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି।
ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନପତ୍ର ଭାଇରାଲ ସଂକ୍ରାନ୍ତରେ ଜଣାପଡିଲା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍ ପରୀକ୍ଷା ପୂର୍ବରୁ ହୋଇ ନାହିଁ। ଜିଲ୍ଲାରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଭାରାଇଲ ସମ୍ପର୍କରେ ବୋର୍ଡ ଯାହା ନିଷ୍ପତ୍ତି ନେବେ। ଆମକୁ ଠିକ୍ ଭାବେ ପରୀକ୍ଷା ପରିଚାଳନା କରିବାକୁ ନିର୍ଦ୍ଦେଶ ଥିଲା। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ପେପର-୧ ପାଇଁ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ମୋଟ ୧୭୬୩ ଶିକ୍ଷକଶିକ୍ଷୟିତ୍ରୀ ପରୀକ୍ଷା ଦେବାକୁ ଥିଲା। ୧୭୧୭ ଜଣ ପରୀକ୍ଷା ଦେଇଥିଲେ। ୪୬ ଜଣ ଅନୁପସ୍ଥିତ ଥିଲେ। ପେପର-୨ ପାଇଁ ଦୁଇଟି କେନ୍ଦ୍ରରେ ୪୭୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେବାକୁ ଥିଲା। ପରୀକ୍ଷା ଦେଇଥିଲେ ୪୬୦। ଅନୁପସ୍ଥିତ ଥିଲେ ୧୩ ଶିକ୍ଷକ ଶିକ୍ଷୟିତ୍ରୀ।