କଟକ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମେତ ତିନି ଜଣଙ୍କୁ ରିମାଣ୍ଡରେ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୬ ଜିଲ୍ଲାରେ ଡକ୍ଟର ମହାନ୍ତିଙ୍କ ପରୋକ୍ଷ ସହଯୋଗରେ ପ୍ରଶ୍ନପତ୍ର ବିକ୍ରି ହୋଇଥିଲା। ତେବେ କେଉଁମାନଙ୍କ ନିକଟକୁ ଏହି ପ୍ରଶ୍ନପତ୍ର ଯାଇଛି, ସେ ନେଇ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଖୋଳତାଡ଼ ଆରମ୍ଭ କରିବାକୁ ଯାଉଛି। ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।
ଡକ୍ଟର ମହାନ୍ତିଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ପ୍ରଶ୍ନପତ୍ର ଲିକ୍ ପଛରେ ହୋଇଥିବା ବଡ଼ ଧରଣର ଆର୍ଥିକ ଡିଲ୍ ସାମନାକୁ ଆସିଛି। ଡକ୍ଟର ମହାନ୍ତି ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଧ୍ୟମରେ ନଗଦ ଆକାରରେ ଆର୍ଥିକ କାରବାର କରିଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଜିତନ ମାଧ୍ୟମରେ ପ୍ରଶ୍ନପତ୍ର ରାଜ୍ୟ ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କ ନିକଟରେ ପହଞ୍ଚିବା ପରେ କଟକ ସମେତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବାଲେଶ୍ବର ଜିଲ୍ଲାରେ ବିକ୍ରି ହୋଇଥିଲା। ଡକ୍ଟର ମହାନ୍ତିଙ୍କଠାରୁ ବିଜୟଙ୍କ ଯାଏଁ ପ୍ରଶ୍ନପତ୍ର କାରବାର ଓ ବିକ୍ରି ପଛର କାର୍ପଟଦାର ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି। ତେଣୁ କ୍ରାଇମବ୍ରାଞ୍ଚ ତିନି ଦିନିଆ ରିମାଣ୍ଡରେ ଏମାନଙ୍କୁ ଆଣିବାକୁ ଯୋଜନା କରୁଛି।
ରିମାଣ୍ଡରେ ଆସିବା ପରେ ସେମାନଙ୍କୁ ସାମନାସାମନି ଜେରା କରାଯିବ। ବିଜୟ ଏହି ପ୍ରଶ୍ନପତ୍ରକୁ କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର ସଭାପତି ସନାତନ ବିଷୋୟୀଙ୍କ ମାଧ୍ୟମରେ ବିକ୍ରି ପାଇଁ ଛାଡ଼ିଥିଲା। ତେବେ ଏହି ଆର୍ଥିକ କେଳେଙ୍କାରୀରେ ବର୍ତ୍ତମାନ ସୁଦ୍ଧା କେବଳ ଜିତନଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ଫୋନ୍ ପେ’ରେ ଆସିଥିବାର ଡିଜିଟାଲ୍ ପ୍ରମାଣ ମିଳିଛି। ଏହାବାଦ୍ ଅନ୍ୟ କୌଣସି ଡିଜିଟାଲ୍ ପ୍ରମାଣ ମିଳିନଥିବାରୁ କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତି ଡକ୍ଟର ମହାନ୍ତି, ଜିତନ ଓ ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ପରିବାର ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ବି ଯାଞ୍ଚ ଆରମ୍ଭ କରିଛି। ଗଲା ଏପ୍ରିଲରୁ ଡକ୍ଟର ମହାନ୍ତି ୧୦୦ ଥର ଜିତନଙ୍କ ସହିତ ଅଫିସ ସମୟ ବାଦ୍ କଥାବାର୍ତ୍ତା ହୋଇଥିବାରୁ ଆର୍ଥିକ କାରବାର ସମ୍ପର୍କିତ ଗଲା ଦୁଇ ମାସର ତଥ୍ୟ ମଗାଯାଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି।