କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବନ୍ଧା ହୋଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ପାଇଁ ସେ ବଡ଼ଧରଣର ଆର୍ଥିକ ଡିଲ୍ କରିଥିଲେ। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମାଧ୍ୟମରେ ୬ଟି ଜିଲ୍ଲାରେ ଏହାକୁ ବିକ୍ରି କରିଥିଲେ। ଏଭଳି ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ଶେଷରେ ଡକ୍ଟର ମହାନ୍ତିଙ୍କୁ ଗିରଫ କରିଛି। ୨୦୨୨ରେ ମାଲକାନଗିରି ଜିଲ୍ଲାରେ ହୋଇଥିବା ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ବି ଜିତନର ସମ୍ପୃକ୍ତି ପ୍ରମାଣ ମିଳିଛି। ଆଉ ଜଣେ ଡାଟା ଏଣ୍ଟ୍ରି ଅପରେଟର୍ ସହିତ ମିଶି ସେହି ସମୟରେ ପ୍ରଶ୍ନପତ୍ର ଲିକ୍ କରାଯାଇଥିବା ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।
କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତି ଡକ୍ଟର ମହାନ୍ତିଙ୍କୁ ୫ରୁ ଅଧିକ ଥର ଜେରା କରିବା ସହିତ ବୈଷୟିକ ପ୍ରମାଣ ଆଧାରରେ ତାଙ୍କୁ ରବିବାର ଗିରଫ କରିଛି। ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ମଧ୍ୟପ୍ରଦେଶର ଭୋପାଳରେ ଥିବା ଏକ କମ୍ପାନିକୁ ଚଳିତବର୍ଷ ଓଟିଇଟି ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ବୋର୍ଡ ପକ୍ଷରୁ ଦିଆଯାଇଥିଲା। ସେହି ସଂସ୍ଥା ସହିତ ଡକ୍ଟର୍ ମହାନ୍ତି ସିଧାସଳଖ ଯୋଗାଯୋଗରେ ଥିଲେ। ସଂସ୍ଥା ପକ୍ଷରୁ ଡକ୍ଟର ମହାନ୍ତିଙ୍କ ସରକାରୀ ଲାପ୍ଟପ୍ରେ ଥିବା ପ୍ରଶ୍ନପତ୍ରକୁ ‘ଏନି ଡେସ୍କ ସପ୍ଟଓୟାର’ ମାଧ୍ୟମରେ ଭୋପାଳ ପ୍ରେସ୍ର ଅଧିକାରୀ ୟୁଜର ନେମ୍ ଓ ପାସ୍ଵାର୍ଡ ବ୍ୟବହାର କରି ନେଇଥିଲେ। ପ୍ରଶ୍ନପତ୍ର ଛପା ହେବା ପରେ ଏହାର ନକଲ ପୁଣି ଥରେ ଡକ୍ଟର ମହାନ୍ତି ‘ଏନି ଡେସ୍କ’ ମାଧ୍ୟମରେ ସରକାରୀ ଲାପ୍ଟପ୍ରେ ଡାଉନ୍ଲୋଡ୍ କରି ସଂଶୋଧନ କରିଥିଲେ। ସଂଶୋଧନ କରିବା ପରେ ପ୍ରେସ୍ ଅଧିକାରୀ ଏହାକୁ ‘ଏନି ଡେସ୍କ’ ମାଧ୍ୟମରେ ଲାପ୍ଟପ୍ରୁ ନେଇଥିଲେ। ଚୂଡ଼ାନ୍ତ ପ୍ରଶ୍ନପତ୍ର ଛପା ହୋଇଥିଲା। କିନ୍ତୁ ପ୍ରୋଟୋକଲ୍ ଦୃଷ୍ଟିରୁ ପ୍ରଶ୍ନପତ୍ର ପ୍ରେସ୍ ପକ୍ଷରୁ ପ୍ରିଣ୍ଟ ପାଇଁ ନେବା ପରେ ଏହାକୁ ଲାପ୍ଟପ୍ରୁ ଡିଲିଟ୍ କରିବା ଉଚିତ। କିନ୍ତୁ ଡକ୍ଟର ମହାନ୍ତି ଏହାକୁ ଜାଣିଶୁଣି ଡିଲିଟ୍ କରି ନ ଥିଲେ। ଲାପ୍ଟପ୍ର ସମ୍ପୂର୍ଣ୍ଣ ଆକ୍ସେସ୍ ଜିତନକୁ ଦେଇଥିଲେ। ଯାହା ଫଳରେ ଜିତନ ପ୍ରଶ୍ନପତ୍ର ବିକ୍ରି କରିଥିଲେ।
ବିକ୍ରି ପାଇଁ କରିଥିଲେ ବଡ଼ ଡିଲ୍
ନିହାର-ଜିତନ-ବିଜୟଙ୍କ ମେଣ୍ଟ
ହ୍ବାଟ୍ସଆପ୍ରେ କଥା ହେଉଥିଲେ
୨୦୨୨ ପ୍ରଶ୍ନପତ୍ର ଲିକ୍ରେ ବି ସାମିଲ
ରାଜ୍ୟ ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର ସଭାପତି ସନାତନ ବିଷୋୟୀଙ୍କୁ ବିକ୍ରି କରିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରଶ୍ନପତ୍ର କଟକ ସମେତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବାଲେଶ୍ବର ଜିଲ୍ଲାରେ ବିକ୍ରି ହୋଇଥିଲା। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନର ଏହି ଓଟିଇିଟି ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଦାୟିତ୍ବ ବି ନଥିଲା। ୨୦୨୨ରେ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଜିତନର ସମ୍ପୃକ୍ତି ଅଭିଯୋଗ ଆସିବାରୁ ସିକ୍ରେଟ୍ ଵିଙ୍ଗ୍ରୁ ବାହାର କରିଦିଆଯାଇଥିଲା। ସେଥିପାଇଁ ପରୀକ୍ଷା ବ୍ୟବସ୍ଥାରୁ ତାଙ୍କୁ ଦୂରେଇ ରଖାଯାଇଥିଲା। ଦୁଇ ମାସ ପରେ ପୁଣି ତାଙ୍କୁ ସାମିଲ କରାଗଲା। ଏହି ସାମିଲ ପଛରେ ବି ଶ୍ରୀ ମହାନ୍ତିଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। କେବଳ ସେତିକି ନୁହେଁ, ବୋର୍ଡ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତି ଓ ଜିତନଙ୍କ ମଧ୍ୟରେ ଅଫିସରେ କୌଣସି ପ୍ରକାର କଥାବାର୍ତ୍ତା କେବେ ହୁଏ ନାହିଁ। କିନ୍ତୁ ଗଲା ଏପ୍ରିଲ୍ରୁ ଉଭୟଙ୍କ କଲ୍ ଡିଟେଲ୍ କ୍ରାଇମବ୍ରାଞ୍ଚ ମାଗିଥିଲା। ଉଭୟ ଅଫିସ ସମୟ ବାହାରେ ପାଖାପାଖି ୧୦୦ ଥର ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଏମିତିକି ସେମାନେ ହ୍ବାଟ୍ସଆପ୍ କଲରେ ମଧ୍ୟ ଅନେକ ସମୟରେ କଥାବାର୍ତ୍ତା ହୋଇଛନ୍ତି। କ୍ରାଇମବ୍ରାଞ୍ଚରେ ବୋର୍ଡର ଏଷ୍ଟାବ୍ଲିସମେଣ୍ଟ ଅଫିସ୍ର ବୁଲ୍ବୁଲ୍ ବେହେରା ଜୁଲାଇ ୨୦ରେ ଅଭିଯୋଗ କରିବା ପରେ ମଧ୍ୟ ଉଭୟ କଥାବାର୍ତ୍ତା ଜାରି ରଖିଥିଲେ। କିନ୍ତୁ ଅନେକ ହ୍ବାଟ୍ସଆପ୍ ଚାଟ୍ ଏମାନେ ଫୋନ୍ରୁ ଡିଲିଟ୍ କରିଦେଇଛନ୍ତି। ଅଫିସ ବାହାରେ ସେମାନଙ୍କ ଏଭଳି କଥାବାର୍ତ୍ତା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ସନ୍ଦେହ କରିଥିଲା। ସେମାନଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ ନଥିବା ସତ୍ତ୍ବେ ଅଫିସ ବାହାରେ ଏଭଳି ଲମ୍ବା ସମୟ ଧରି ଫୋନ୍ରେ ଗପିବା ଘଟଣାରେ ଡକ୍ଟର ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ସ୍କାନର୍କୁ ଆଣିଥିଲା।
ଡକ୍ଟର ମହାନ୍ତି ବୋର୍ଡରେ ୧୧ବର୍ଷ ହଲା କାମ କରୁଥିଲେ। ପୂର୍ବରୁ କଣ୍ଟ୍ରୋଲର୍ ଅଫ୍ ଏକ୍ଜାମ୍ ଥିଲେ। ପରେ ଉପସଭାପତି ହେଲେ। ପୂରା ପରୀକ୍ଷା ପରିଚାଳନା ସମ୍ପର୍କରେ ଭଲ ଭାବେ ଡକ୍ଟର ମହାନ୍ତି ଅବଗତ ଥିଲେ। ଜିତନର ସନ୍ଦେହଜନକ କାରବାର ସମ୍ପର୍କରେ ମଧ୍ୟ ଡକ୍ଟର ମହାନ୍ତି ଜାଣିଥିଲେ। ଫୋନ୍ରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏହାପରେ ଆର୍ଥିକ କାରବାର ନେଇ ତଦନ୍ତ ହେବ ଓ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଓ ଡିଆଇଜି ବାତୁଳା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଡକ୍ଟର ମହାନ୍ତିଙ୍କୁ ମିଶାଇ ମୋଟ ୮ ଜଣ ଗିରଫ ହେଲେଣି।
ଉତ୍ତର ପିଛା ୫ ହଜାର
କଟକ: ୨୦୨୨ରେ ମାଲକାନଗିରି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟର୍ ସମ୍ପୃକ୍ତ ଥିଲେ। ଏ ନେଇ ବୋର୍ଡ ହାତରେ ବଳିଷ୍ଠ ପ୍ରମାଣ ଲାଗିଥିବା ସତ୍ତ୍ବେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଯୋଜନାବଦ୍ଧ ଭାବେ ଚାପି ଦେଇଥିବାର ବଡ଼ ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏଭଳି କେଳେଙ୍କାରୀରେ ସେବେଠାରୁ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମ୍ପୃକ୍ତିର ପ୍ରମାଣ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ। ବର୍ଷବର୍ଷ ଧରି ବୋର୍ଡରେ ଏଭଳି କେଳେଙ୍କାରୀ ଚାଲିଥିବା ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି।
ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୨୦୨୨ ଅଗଷ୍ଟ ୨୯ ତାରିଖରେ ତିନୋଟି ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀଙ୍କୁ ଯାଞ୍ଚ ସମୟରେ ପ୍ରତି ପ୍ରଶ୍ନପତ୍ର ସେଟ୍ର ଉତ୍ତର ସେମାନଙ୍କ ନିକଟରୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ବୋର୍ଡକୁ ପରୀକ୍ଷା କେନ୍ଦ୍ର ପକ୍ଷରୁ ଅବଗତ କରାଯାଇଥିଲା। ଏହା ଫଳରେ ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା। ପୁଣି ଥରେ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା। ଅକ୍ଟୋବର୍ ୧୪ରେ ପୁଣି ଥରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଜିଲ୍ଲାର ସଦର ମହକୁମାରେ ଥିବା ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ନୋଡାଲ୍ ଉଚ୍ଚବିଦ୍ୟାଳୟ ଏବଂ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଏହି ପରୀକ୍ଷା ହୋଇଥିଲା। ତିନୋଟି କେନ୍ଦ୍ରରେ ମୋଟ ୭୪୨ ଜଣ ଶିକ୍ଷକ ଏହି ପରୀକ୍ଷା ଦେଇଥିଲେ। ତେବେ ପୂର୍ବଭଳି ଦ୍ବିତୀୟଥର ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନର ଉତ୍ତରଗୁଡ଼ିକ ଭାଇରାଲ୍ ହୋଇଥିଲା। ଏହି ଦୁଇଟି ପରୀକ୍ଷାରେ ପ୍ରତି ପ୍ରଶ୍ନର ଉତ୍ତରକୁ ପାଞ୍ଚ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ବି ଉଠିଥିଲା।
କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କେଳେଙ୍କାରୀ ଘଟଣାରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ପ୍ରକାର ଆଭ୍ୟନ୍ତର ତଦନ୍ତ କଲେ ନାହିଁ କି ଥାନା କିମ୍ବା କ୍ରାଇମବ୍ରାଞ୍ଚରେ ଏତଲା ଦିଆଗଲା ନାହିଁ। କିନ୍ତୁ ଏବେ ଗିରଫ ହୋଇଥିବା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ଉଭୟ ଡାଟା ଏଣ୍ଟ୍ରି ଅପରେଟର୍ ବୋର୍ଡରେ ଠିକା ଭିତ୍ତିରେ ଚାକିରି କରୁଥିଲେ। ସେମାନଙ୍କୁ କେବଳ ଅସ୍ଥାୟୀ ଭାବେ ପରୀକ୍ଷା ସଂକ୍ରାନ୍ତ ଦାୟିତ୍ବରୁ ସେତେବେଳେ ଅନ୍ତର କରାଯାଇଥିଲା। ବୋର୍ଡର ସିକ୍ରେଟ୍ ଵିଙ୍ଗରୁ ବାଦ୍ ଦିଆଯାଇଥିବା ସତ୍ତ୍ବେ ପୁଣି କିଛି ମାସ ବ୍ୟବଧାନରେ ପୂର୍ବଭଳି ସେମାନେ କାମ କରିଥିଲେ। ଏବେ ହୋଇଥିବା ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀରେ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର କ୍ରାଇମବ୍ରାଞ୍ଚ ସ୍କାନର୍ରେ ଅଛନ୍ତି। ତାଙ୍କୁ ବାରମ୍ବାର କ୍ରାଇମବ୍ରାଞ୍ଚ ଜେରା କରୁଥିବାରୁ ଜିତନ ସମେତ ସେ ବି ଏହି କେଳେଙ୍କାରୀରେ ସାମିଲ ଥିବା କୁହାଯାଉଛି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, ୨୦୨୨ରେ ମାଲକାନଗିରିରେ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ବୋର୍ଡ ପକ୍ଷରୁ କୌଣସି ଏତଲା ଦିଆଯାଇ ନଥିଲା। ସେହି ସମୟରେ ଏତଲା ଦେଇଥିଲେ ଏଭଳି ସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ସେ କହିଛନ୍ତି।