ପ୍ରଶ୍ନପତ୍ର ଲିକ୍‌ ଘଟଣା : ମନ୍ତ୍ରୀଙ୍କୁ ଘେରିଲେ ଏବିଭିପି, ଯୁବମୋର୍ଚ୍ଚା

ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ ଇସ୍ତଫା ଦାବି କରାଯାଇଛି। ସଙ୍ଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ସମେତ ବୁଦ୍ଧଦେବ ବାଗ୍‌, ସମିର ରାଉତ, ସୁରଦୀପ୍‌ ମାହୁନ୍ତ, ଦୀପକ ପ୍ରକାଶ ସ୍ବାଇଁ, ପ୍ରଶାନ୍ତ ପାଇକରାୟ, ସ୍ମୃତିରଞ୍ଜନ ବିଶ୍ବାଳ, ଲିନା ନନ୍ଦିତା ପରିଡ଼ା, ନନ୍ଦିତା ନାୟକ ପ୍ରମୁଖ ସାମିଲ ହୋଇ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପ୍ରାୟ ୨୦ ମିନିଟ୍‌ ଧରି ଧସ୍ତାଧସ୍ତି ପରେ ପୁଲିସ ୨୦ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରି ନେଇଥିଲା।

ଅନ୍ୟପକ୍ଷରେ ବିଜେପି ଭୁବନେଶ୍ବର ଯୁବମୋର୍ଚ୍ଚା ରାମମନ୍ଦିର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଞ୍ଜିତ୍‌ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ସାମିଲ ହୋଇ ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କରିବାକୁ ଦାବି କରିଥିଲେ। ନଚେତ୍‌ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ପ୍ରଶ୍ନପତ୍ର ଲିକ୍‌ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଯେ, ଗାଁ ଗଣ୍ଡାରେ ଉପଯୁକ୍ତ ପ୍ରାଥମିକ ଶିକ୍ଷା ବିନା ନୂଆ ଓଡ଼ିଶା ସମ୍ଭବ ନୁହେଁ। ସାଧାରଣ ଓଡ଼ିଆ ଘରର ପିଲାଙ୍କ ମେଧାଶକ୍ତି ଓଡ଼ିଶାର ମୂଳ ସମ୍ବଳ। ହେଲେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷକଙ୍କୁ ଠିକ୍‌ ଭାବେ ଦରମା ମିଳୁନି। ତେଣୁ ତୃଣମୂଳସ୍ତରରେ ବିରୋଧ ହେଉଛି। ଆଜିର ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ବାତିଲ୍‌ ଶିକ୍ଷା ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା କମିବା ସହ ଅରାଜକତା ଆଡ଼କୁ ଟାଣି ହୋଇଯିବ ବୋଲି ‌କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର