ପୁରୀ: ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ କଟକଣା ଲଗାଯାଇଛି। ଜିଲ୍ଲା ବାହାରୁ ଯେଉଁ ଆତ୍ମୀୟସ୍ବଜନ ମୃତକଙ୍କୁ ନେଇ ସ୍ବର୍ଗଦ୍ବାର ଆସୁଥିଲେ, ସେମାନଙ୍କୁ ଆଜି ଠାରୁ ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବନି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଆଜି ଏହି କଠୋର ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି।
ସ୍ବର୍ଗଦ୍ବାରରେ ସତ୍କାର କଲେ ମୃତକଙ୍କୁ ସ୍ବର୍ଗପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଏହି ବିଶ୍ବାସ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ମୃତକଙ୍କୁ ନେଇ ଆତ୍ମୀୟସ୍ବଜନମାନେ ସ୍ବର୍ଗଦ୍ବାର ଅନ୍ତିମ ସଂସ୍କାର ପାଇଁ ଆସିଥା’ନ୍ତି। ସ୍ବର୍ଗଦ୍ବାରରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଧାର୍ମିକ ଭାବନା ଜଡ଼ିତ ରହିଥିବାରୁ କରୋନା କଟକଣା ଭିତରେ ବି ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରିବାକୁ ଜିଲ୍ଲା ପ୍ରଶାସନ ସୁଯୋଗ ଦେଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି। କରୋନା ଭୂତାଣୁ ଭୟଙ୍କର ଭାବେ ମାଡ଼ି ଚାଲିଛି। ଅମାନିଆଙ୍କ ଯୋଗୁଁ ଏହା ଭିତରେ ଲୋକାଲ ସଂକ୍ରମଣ ବି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ବି ସ୍ବର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ପରିବାର ତଥା ଆତ୍ମୀୟସ୍ବଜନମାନେ କରୋନା କଟକଣାକୁ ମାନୁ ନ ଥିଲେ। ସାମାଜିକ ଦୂରତା ଓ ମାସ୍କ କଟକଣାକୁ ହେୟଜ୍ଞାନ କରୁଥିଲେ। ଜିଲ୍ଲା ବାହାରୁ ଲୋକେ ଆସୁଥିବାରୁ କରୋନା ସଂକ୍ରମଣର ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିଲା।
ଆଜି ‘ସମ୍ବାଦ’ରେ ଫଟୋ ସମ୍ବଳିତ ଏହି ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାର ଆସିବାରେ କଟକଣା ଲଗାଇଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, ସ୍ବର୍ଗଦ୍ବାରକୁ ପ୍ରତିଦିନ ବାହାର ଜିଲ୍ଲାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆସିଥାନ୍ତି। ସଂସ୍କାର ପାଇଁ ଆସିଥିବା ବ୍ୟକ୍ତିବିଶେଷ ମହୋଦଧିରେ ବୁଡ଼ ପକାଇବା ଓ ଅସ୍ଥି ବିସର୍ଜନ କରିବା ପରମ୍ପରା ରହିଛି। କିନ୍ତୁ ଯେଉଁ ମୃତକ, ପରିବାର କିମ୍ବା ଆତ୍ମୀୟସ୍ବଜନମାନେ ସ୍ବର୍ଗଦ୍ବାର ଆସିଥା’ନ୍ତି, ସେମାନଙ୍କ ଠାରେ କରୋନା ଭୂତାଣୁ ଅଛି କି ନାହିଁ, ତାହା ପରୀକ୍ଷା ହୋଇନଥାଏ। ଏମାନେ ସ୍ବର୍ଗଦ୍ବାରଠାରେ ପହଞ୍ଚିବା ପରେ ଅନେକ ଲୋକଙ୍କ ସହ ମିଳାମିଶା କରିଥା’ନ୍ତି। ଏଥିରୁ ସଂକ୍ରମଣର ଭୟ ରହିଛି। ଜନସାଧାରଣଙ୍କ ସ୍ବାର୍ଥ ତଥା ଜୀବନକୁ ଆଖି ଆଗରେ ରଖି ସ୍ବର୍ଗଦ୍ବାରକୁ ବାହାର ଲୋକଙ୍କ ଆସିବାରେ କଟକଣା ଲଗାଯାଇଛି। ଆସନ୍ତାକାଲି ଠାରୁ ଏହି କଟକଣା ଲାଗୁ କରାଯିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଜନସାଧାରଣଙ୍କ ଜୀବନ ତଥା ସଂକ୍ରମଣକୁ ରୋକିବା ପାଇଁ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଏଥିରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ସିଂ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/SWARGADWARA_2.jpg)