ନୂଆପଡ଼ା: ନୂଆପଡ଼ା ସଦର ତହସିଲ ଅଫିସରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦିବ୍ୟାଙ୍ଗଙ୍କ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେଣେ ମୃତ ଦିବ୍ୟାଙ୍ଗଙ୍କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଣେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନାଆଁରେ ଥାନାରେ ମାମଲା ରୁଜୁ ହୋଇଛି। ତେଣେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ୍ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ନୂଆପଡ଼ା ବ୍ଲକ ସାଲିହା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଆତ୍ମରାମ ଚୌହାନଙ୍କ ପୁଅ ଜଗଦୀଶ ଚୌହାନ (୩୮)। ଜଗଦୀଶ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଯିବାଆସିବା ପାଇଁ ଏକ ଲୁନା କିଣିଥିଲେ। ଲୁନାଟି ଫାଇନାନ୍ସରେ ଆଣିଥିବାରୁ ଋଣ ପରିଶୋଧ ପାଇଁ ଫାଇନାନ୍ସ କର୍ମଚାରୀ ଘରକୁ ବାରମ୍ବାର ଆସୁଥିଲେ। ଏଭଳି ସମୟରେ ସେ ନିଜ ଜମି ବିକ୍ରି କରି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ବାପା ଆତ୍ମରାମଙ୍କ ସହ ନୂଆପଡ଼ା ତହସିଲ ଅଫିସ୍କୁ ଯାଇ ଜମି ବିକ୍ରି ପାଇଁ ଗତ ବର୍ଷ ଜାନୁଆରି ୧୫ ତାରିଖ ଆବେଦନ କରିଥିଲେ। ହେଲେ, ଗୋଟିଏବର୍ଷ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଅନୁମତି ନଦେବାରୁ ଭିନ୍ନକ୍ଷମ ଯୁବକ ବାରମ୍ବାର ତହସିଲ ଅଫିସକୁ ଆସି ଅତିଷ୍ଠ ହୋଇପଡ଼ିଥିଲେ।
/sambad/media/post_attachments/wp-content/uploads/2023/03/f43ba4ce-9cbb-4ba6-a0a8-31dbcf219b13-1024x768.jpg)
ଗୁରୁବାର ଦିନ ପୁଣି ଫାଇନାନ୍ସରେ ଆଣିଥିବା ଲୁନା (ସିଜି- ୦୬ଜିଏକ୍ସ- ୫୪୬୪) ଧରି ତହସିଲ ଅଫିସ୍ରେ ପହଞ୍ଚିଥିଲେ। ହେଲେ, ବିଭାଗୀୟ ଅଧିକାରୀମାନେ ତାଙ୍କର କୌଣସି କଥାକୁ କର୍ଣ୍ଣପାତ କରିନଥିଲେ। ଫଳରେ, ମାନସିକ ଭାରସାମ୍ୟ ହରାଇ ଏକ ବୋତଲରେ ପେଟ୍ରୋଲ ଆଣି ତହସିଲ ଅଫିସ୍ ଆଗରେ ଜଗଦୀଶ ନିଜ ଦେହରେ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଜଳନ୍ତା ଅବସ୍ଥାରେ ସେ ଅତିରିକ୍ତ ତହସିଲଦାରଙ୍କ ପାଖକୁ ଯାଉଥିବା ଦେଖି କର୍ମଚାରୀମାନେ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ପରେ ତହସିଲଦାରଙ୍କ ଗାଡ଼ିରେ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/782a55a7-2ab9-43ee-93f7-2e1488096484.jpg)