ଓଟିଏମ୍‌ ପୁନରୁଦ୍ଧାର ଦାବି : ଆତ୍ମାହୁତି ଦେବେ ଶ୍ରମିକ ପରିବାର

ଭୁବନେଶ୍ବର : ଚୌଦ୍ବାର ଓଟିଏମ୍‌ (ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌)ର ପୁନରୁଦ୍ଧାର ସହିତ ଏହି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନକୁ ପୁନଃଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନକଲେ, ଦୁଃଖଦୁର୍ଦ୍ଦିନରେ କାଳାତିପାତ କରୁଥିବା ଶ୍ରମିକ, ତାଙ୍କ ପରିବାର ତଥା ଅଞ୍ଚଳବାସୀ ଆତ୍ମାହୁତି ଦେବେ।

ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଚୌଦ୍ବାରର ଶିଳ୍ପାଞ୍ଚଳ ଏକଦା ଏସିଆ ମହାଦେଶରେ ମାନ୍ୟତା ଲାଭ କରିଥିଲା। ଖାଲି ଓଟିଏମ୍‌ କାହିଁକି; ଟାଇଲ୍‌ କାରଖାନା, କଳିଙ୍ଗ ଟ୍ୟୁବ୍‌ସ, ଲିବ୍ରା କାର୍ପେଟ୍‌, ବୈକୁଣ୍ଠ କଟନ୍‌ ମିଲ୍‌ ଭଳି ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏହି ଶିଳ୍ପ ପ୍ରତିଷ୍ଠା ଦିଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ବଳିଷ୍ଠ ଭୂମିକା ରହିଥିଲା, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ଶ୍ରମିକ କାର୍ଯ୍ୟ କରୁଥିଲେ।

‘ଏହିସବୁ ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ମଧ୍ୟରୁ ଅନେକ ମରିହଜିଗଲେଣି। ଯେଉଁମାନେ ଅଛନ୍ତି, ସେମାନଙ୍କ ଦୁଃଖ କହିଲେ ନସରେ। ଅତ୍ୟନ୍ତ ଦୁଃଖଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି।’

‘ମାତ୍ର, ରାଜ୍ୟ ସରକାର ଓଟିଏମ୍‌ ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କିମ୍ବା, ଚୌଦ୍ବାରକୁ ପୁଣିଥରେ ଶିଳ୍ପ ହବ୍‌ରେ ପରିଣତ କରିବା ପାଇଁ ଉଦ୍ୟମ କରୁନାହାନ୍ତି। ଏଥିପାଇଁ ବାରମ୍ବାର ଦାବି କରାଯାଉଛି। ମାତ୍ର, ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି।’

ଯଦି ସରକାର ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ଶ୍ରମିକ ପରିବାର ଏବଂ ଅଞ୍ଚଳବାସୀ ଜଣକ ପରେ ଜଣେ ‘ନବୀନ ନିବାସ ’ ଆଗରେ ଆତ୍ମାହୁତି ଦେବେ ବୋଲି ଶ୍ରମିକ ନେତା ଗୋପାଳଚନ୍ଦ୍ର ଦାଶ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ସମ୍ବନ୍ଧିତ ଖବର