ଭୁବନେଶ୍ବର : ତୃଣମୂଳ ସ୍ତରର ସ୍ଥିତି ନ ପରଖି ଉପରଠାଉରିଆ, ଜିଦ୍ ଓ ମନମୁଖୀ ଭାବେ ଯୋଜନା କରାଗଲେ, ହିତାଧିକାରୀ କେମିତି ଦହଗଞ୍ଜ ହୁଅନ୍ତି, ତାହା ଏବର୍ଷର ସରକାରୀ ବିହନ ବିକ୍ରି ପ୍ରକ୍ରିୟାରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଏବର୍ଷ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ବିହନ ଉପଲବ୍ଧ ଥିଲେ ହେଁ ତାହା ଚାଷୀଙ୍କ ପାଖରେ ପହଞ୍ଚି ପାରିନାହିଁ। ବହୁ ଚାଷୀ ସରକାରୀ ବିହନ କିଣିବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ସରକାରୀ ବିହନ ବିକ୍ରି ଏକ-ତୃତୀୟାଂଶ ହ୍ରାସ ପାଇଛି। ଏଥିଯୋଗୁଁ ବିହନ ପ୍ରତିବଦଳ ହାର ୧୭ପ୍ରତିଶତ ହେବା ନେଇ ଆଶଙ୍କା କରାଯାଉଛି। ଗତବର୍ଷ ଏହା ୩୩ପ୍ରତିଶତ ରହିଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତବର୍ଷ ୪ ଲକ୍ଷ କ୍ବିଣ୍ଟାଲ ସରକାରୀ ବିହନ ବିକ୍ରି ହୋଇଥିଲା। ଚଳିତ ବର୍ଷ ଏହା ୨ ଲକ୍ଷ ୩୮ ହଜାର କ୍ବିଣ୍ଟାଲକୁ ହ୍ରାସ ପାଇଛି। ଆଉ, ଏଥିପାଇଁ ଛୋଟିଆ ମୋବାଇଲ୍ ‘ଓଟିପି’ ଦାୟୀ ବୋଲି ଜଣାଯାଇଛି। ଅପରପକ୍ଷେ, ବର୍ତ୍ତମାନ ବିହନ କ୍ରୟ ସମୟ ଅତିକ୍ରାନ୍ତ ହୋଇ ସାରିଥିବାରୁ ଆଗକୁ ଆଉ ଅଧିକ ବିହନ ବିକ୍ରି ହେବ ନାହିଁ ବୋଲି କୁହାଯାଉଛି।
ଚଳିତ ବର୍ଷ ସରକାର ବିହନ କ୍ରୟ ପାଇଁ ଡିବିଟି ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି। ବିହନ କିଣିବା ପରେ ପଞ୍ଜୀକୃତ ଚାଷୀଙ୍କ ନିକଟକୁ ଏକ ଓଟିପି ଆସିବ। ଚାଷୀ ତାହାକୁ ପ୍ୟାକ୍ସରେ ଦାଖଲ କରିବା ପରେ ବିହନ କ୍ରୟ ବାବଦ ରିହାତି ଟଙ୍କା ସିଧାସଳଖ ଆକାଉଣ୍ଟରେ ଜମା ହେବ। ଚାଷୀଙ୍କ ସବ୍ସିଡି ବାଟମାରଣା ନ ହେବା ପାଇଁ ସରକାର ଏ ବ୍ୟବସ୍ଥା କରିଛନ୍ତି। କିନ୍ତୁ ରାଜ୍ୟରେ ୬ ହଜାରରୁ ଅଧିକ ଗାଁରେ ମୋବାଇଲ ନେଟ୍ଓ୍ବାର୍କ ନାହିଁ। ଯେଉଁଠି ବି ଅଛି, ସେଠାକାର ଅନେକ ଚାଷୀଙ୍କ ପାଖରେ ମୋବାଇଲ ନାହିଁ। ଆଉ ସେଥିମଧ୍ୟରୁ ଅନେକେ ଏହି ଜଟିଳ ପ୍ରକ୍ରିୟା ସଂପର୍କରେ ଜାଣିନାହାନ୍ତି। ତେଣୁ ବିନା ଫୋନ୍, ବିନା ନେଟ୍ୱର୍କରେ କେମିତି ସରକାରୀ ବିହନ କ୍ରୟ କରିବେ, ତାହା ଚାଷୀଙ୍କ ମୁଣ୍ଡବଥାର କାରଣ ହେଲା। ଏଥିପାଇଁ ବିହନ ନିଗମ ପାଖରେ ପର୍ଯ୍ୟାପ୍ତ ବିହନ ମହଜୁଦ ଥିଲେ ମଧ୍ୟ ତାହା ଚାଷୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଏ ସଂପର୍କରେ ଜିଲ୍ଲା ସ୍ତରରେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରାଯିବାରୁ ପଞ୍ଜୀକୃତ ଗୋଟିଏ ମୋବାଇଲରୁ ୧୦ଜଣ ବିହନ କ୍ରୟ କରିପାରିବେ ବୋଲି ବ୍ୟବସ୍ଥା ହୋଇଛି। କିନ୍ତୁ ଏହା ମଧ୍ୟ ସେତେ ଉପଯୋଗୀ ହୋଇପାରିଲା ନାହିଁ। ଅପରପକ୍ଷେ, ୟା’ ଭିତରେ ଅନେକ ବିଳମ୍ବ ହୋଇ ସାରିଥିଲା।
freepik.comବିହନ ନିଗମର ସୂଚନା ଅନୁଯାୟୀ, ଖରିଫରେ ଓଡ଼ିଶା ଚାଷୀଙ୍କୁ ୧୦ଲକ୍ଷ କ୍ବିଣ୍ଟାଲ ଧାନ ବିହନର ଆବଶ୍ୟକତା ଥାଏ। ଗତବର୍ଷ ବିହନ ନିଗମ ପକ୍ଷରୁ ୫ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ ହୋଇଥିଲା। ଚଳିତ ବର୍ଷ ଓଟିପି ବ୍ୟବସ୍ଥା କରିଥିବାରୁ ବିହନ ନିଗମ ପୂର୍ବରୁ ହିଁ ବିହନ ବିକ୍ରି ନେଇ ଚାଷୀ ସମସ୍ୟା ସମ୍ମୁଖୀନ ହେବେ ବୋଲି ଆଶଙ୍କା କରୁଥିଲା। ୩ ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ କରାଗଲା। କିନ୍ତୁ ସେତକ ମଧ୍ୟ ବିକ୍ରି ହେଲା ନାହିଁ।
ଯେତିକି ଚାଷୀ ବିହନ କିଣିଲେ, ସେଥିପାଇଁ ସେମାନଙ୍କୁ ବହୁତ କସରତ କରିବାକୁ ପଡ଼ିଲା। ଚଳିତ ବର୍ଷ ସରକାର ବିହନ କ୍ରୟରେ ନୂତନ ବ୍ୟବସ୍ଥା ଆରମ୍ଭ କଲେ। ମାତ୍ର ଏହାକୁ ନେଇ ଚାଷୀ କି ପ୍ୟାକ୍ସ; କାହା ସହ ଆଲୋଚନା କରିବାକୁ ଉଚିତ ମଣିଲେ ନାହିଁ। ସିଧାସଳଖ କାର୍ଯ୍ୟକାରୀ କରିଦେଲେ। ଅପରପକ୍ଷେ ସରକାରୀ ବିହନ କ୍ରୟର ଏହି ଜଟିଳତା, କମ୍ପାନି ବିହନ କ୍ରୟକୁ ଅଧିକ ପ୍ରୋତ୍ସାହିତ କଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ପାନି ବିହନ ବିକ୍ରି ଅନେକ ଗୁଣ ବୃଦ୍ଧି ପାଇଛି। ଏଜେଣ୍ଟମାନେ ପ୍ରତି ଗାଁରେ ପହଞ୍ଚି ଚାଷୀଙ୍କୁ ସେମାନଙ୍କ ବିହନ କ୍ରୟ ପାଇଁ ପ୍ରୋତ୍ସାହିତ କରିଥିଲେ। ସବ୍ସିଡି ତ ହାତରୁ ଗଲା, କମ୍ପାନି ବିହନ କିଣି ଚାଷୀ ଅଧିକ ଖର୍ଚ୍ଚାନ୍ତ ବି ହେଲା। କମ୍ପାନି ବିହନଗୁଡ଼ିକ ଅଧିକ ଉତ୍ପାଦନକ୍ଷମ ଥିଲେ ମଧ୍ୟ ଏଥିରେ ରୋଗ-ପୋକ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ କାହା ସ୍ବାର୍ଥରେ ସରକାରୀ ବିହନ ବିକ୍ରି ବ୍ୟବସ୍ଥାକୁ ଏତେ ଜଟିଳ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/paddy.jpg)