କଟକ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ହାତରେ ଆହୁରି ଅଧିକ ପ୍ରମାଣ ଲାଗିଛି। ତଥ୍ୟ ଅନୁଯାୟୀ ଯୋଜନାବଦ୍ଧ ଭାବେ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। କଟକ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପ୍ରଥମେ ନୟାଗଡ଼ ଓ ପରେ ରାୟଗଡ଼ାରେ ପହଞ୍ଚିଥିଲା । ସେଠାରେ ଇଂରାଜୀ ପ୍ରଶ୍ନପତ୍ରର ଓଡ଼ିଆ ଅନୁବାଦ ସହ ଉତ୍ତର ହାତରେ ଲେଖି ଅନ୍ୟତ୍ର ପଠାଯାଇଥିଲା। ଏହି ସମୟରେ ପ୍ରଶ୍ନପତ୍ରର ନକଲ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ବୋର୍ଡର ପୂର୍ବତନ ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ୍‌ ମହାରଣା ଓ ବୋର୍ଡର ପୂର୍ବତନ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏସବୁର ମାଷ୍ଟରମାଇଣ୍ଡ ବୋଲି ଧୀ‌ରେଧୀରେ ସ୍ପଷ୍ଟ ହେଉଛି।

Advertisment

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାରେ କ୍ରାଇମବ୍ରାଞ୍ଚ ଜିତନ୍‌ ଓ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା। ଜିତନ ପ୍ରଥମେ ଡକ୍ଟର ମହାନ୍ତିଙ୍କ ଲାପ୍‌ଟପ୍‌ରୁ ଏକ ପେନ୍‌ଡ୍ରାଇଭ୍‌ରେ ପ୍ରଶ୍ନପତ୍ର ନେଇଥିଲା। ପରେ ପ୍ରଶ୍ନପତ୍ରର ଏକ ପ୍ରିଣ୍ଟ ବାହାର କରିଥିଲା। ଏହାପରେ ସେ ଉକ୍ତ ପ୍ରିଣ୍ଟ କପି ଓ ପେନ୍‌ଡ୍ରାଇଭକୁ ପାର୍ସଲ କରି ନୟାଗଡ଼ର ବିଜୟ ମିଶ୍ରର ଭାଇଙ୍କୁ ଦେଇଥିଲା। ଜିତନ କଟକରୁ ଏକ କାର୍‌ ଭଡ଼ା କରି ନିଜେ ଏସବୁ ଦେବାକୁ ଯାଇଥିଲା। ନୟାଗଡ଼ରେ ପହଞ୍ଚିବା ପରେ ଜିତନ ପାର୍ସଲଟିକୁ ବିଜୟର ଭାଇକୁ ହସ୍ତାନ୍ତର କରିଥିଲା। ଏହାପରେ ନୟାଗଡ଼ରୁ ବିଜୟର ଭାଇ ରାୟଗଡ଼ା ଯାଇଥିଲେ।

କାର୍‌ରେ ପ୍ରଶ୍ନପତ୍ର ନେଇଥିଲା ଜିତନ୍ 
ରିମାଣ୍ଡ ଶେଷ ପରେ ଜେଲ୍‌କୁ ଫେରିଲେ ବିଜୟ, ଜିତନ

ପୂର୍ବରୁ ସେଠାରେ ବିଜୟ ମିଶ୍ର, କଳାହାଣ୍ଡିର ପ୍ରଶାନ୍ତ ଖମାରୀ, କୋରାପୁଟର ସନାତନ ବିଶୋୟୀ ଓ ଅନ୍ୟମାନେ ପହଞ୍ଚି ସାରିଥିଲେ। ସେଠାରେ ପ୍ରଶାନ୍ତ ପ୍ରିଣ୍ଟ ପ୍ରଶ୍ନପତ୍ରର ନକଲ ପ୍ରସ୍ତୁତ କରିଥିଲେ। ପ୍ରଶାନ୍ତ ପ୍ରଶ୍ନପତ୍ର ଅନୁସାରେ ବହିରୁ ଉତ୍ତର ଖୋଜି ଏକ ସାଧା କାଗଜରେ ଲେଖିଥିଲେ। ସେହି ହାତଲେଖା ପ୍ରଶ୍ନପତ୍ର ସହ ଉତ୍ତର ନକଲଗୁଡ଼ିକୁ ଅନ୍ୟ ସହଯୋଗୀମାନଙ୍କୁ ପଠାଇଥିଲେ। ଏହା ପୂର୍ବରୁ ପ୍ରଶ୍ନପତ୍ର ପାଇଁ ସେମାନେ ଅନ୍ୟମାନଙ୍କ ଠାରୁ ଟଙ୍କା ଆଣିସାରିଥିଲେ। ଏହି ଘଟଣାରେ ସଂପୃକ୍ତ କାର୍‌ ଡ୍ରାଇଭର ଓ ନୟାଗଡ଼ରେ ରହୁଥିବା ବିଜୟ ମିଶ୍ରର ଭାଇକୁ ବୁଧବାର କ୍ରାଇମବ୍ରାଞ୍ଚ ଜେରା କରିଛି। ଉଭୟଙ୍କ ବୟାନ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଉକ୍ତ କାର୍‌ ଡ୍ରାଇଭରକୁ ରାଜସାକ୍ଷୀ କରିପାରେ। କିନ୍ତୁ ବିଜୟ ମିଶ୍ରର ସମ୍ପର୍କୀୟ ଭାଇକୁ ଗିରଫ କରାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ଡକ୍ଟର ନିହାର ମହାନ୍ତିଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ସୂଚନା ମିଳିଛି। ଆଜି ରିମାଣ୍ଡ ଅବଧି ସରିବା ପରେ ଜିତନ୍‌ ଓ ବିଜୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଦୁଇ ଜଣଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।