‘ଓଟିଭି’ ଜମି ଜାଲିଆତି ଘଟଣା : ଏମ୍‌ଡିଙ୍କ ବାପା ଓ ଭାଇଙ୍କ ନାମରେ ମାମଲା ରୁଜୁ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ‘ଓଟିଭି’ ଜମି ଜାଲିଆତି ଘଟଣାରେ ଦୁଇ ଜଣ ଗ୍ରାମବାସୀ ଗୁରୁତର ଅଭିଯୋଗ କରିବା ପରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଜାଗୀମଂଗତ ପଣ୍ଡାଙ୍କ ବାପା ଓ ଭାଇଙ୍କ ନାମରେ ମାମଲା ରୁଜୁ ହୋଇଛି।

ପୂର୍ବରୁ ଜମି ଜାଲିଆତି ନେଇ ସାରୁଅ ଗାଁର ଲୋକେ ଖୋର୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ ଗୁରୁତ୍ବର ସହ ନେଇଥିବାବେଳେ ଦୁଇ ଦିନ ତଳେ ଜମିର ମାପଚୁପ କରାଯାଇ ରାସ୍ତାରେ ନାଲି ପତାକା ମରାଯାଇଥିଲା। ତେବେ ଗତକାଲି ରାତିରେ ସାରୁଅ ଗାଁ’ର ହାଲୁରି ପାହାଡ଼ସିଂହ ଓ ସନାତନ ପାହାଡ଼ସିଂହ ଓଟିଭି ପକ୍ଷରୁ ଜମି ବିକ୍ରି ପାଇଁ ଚାପ ପକାଇବା ଓ ଅନ୍ୟାନ୍ୟ ଅଭିଯୋଗ ଆଣି ବାଘାମାରୀ ଥାନାରେ ଏତାଲା ଦେଇଥିଲେ। ଏହି ଦୁଇ ପରିବାର ଏତାଲାରେ ଦର୍ଶାଇଥିଲେ ଯେ ସେମାନେ ଅନୁସୂଚିତ ଜାତିର ହୋଇଥିବାବେଳେ ସାରୁଅ ମୌଜା ଖାତା ନମ୍ବର ୧୯୨, ପ୍ଲଟ୍‌ ନମ୍ବର ୧୮୨୯ରେ ଥିବା ନିଜ ଜମିକୁ ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଓଟିଭି ସଂସ୍ଥା ପକ୍ଷରୁ ସେମାନଙ୍କର ଏହି ଜମିକୁ ବିକ୍ରି କରିଦେବା ପାଇଁ ସେମାନଙ୍କୁ ପ୍ରଲୋଭିତ କରାଯାଇଥିଲା। ମାତ୍ର ସେମାନେ ମନା କରିବାରୁ ଚାପ ପକାଯିବା ସହିତ ଧମକଚମକ ଦିଆଯାଉଛି। ଏହାଛଡ଼ା ଏହି ଜମିର ଆଖପାଖର ଜମିକୁ କିଣି ନେଇ ଓଟିଭି ସଂସ୍ଥା ପକ୍ଷରୁ ବଡ଼ ବଡ଼ ଘର, ଉଚ୍ଚ ପାଚେରି ଓ ରାସ୍ତା ଆଦି ନିର୍ମାଣ କରାଯାଉଛି। ଫଳରେ ସେମାନଙ୍କ ଜମିକୁ ପାଣି ଆସୁନାହିଁ କି ଚାଷ କାମ ପାଇଁ ସେମାନଙ୍କ ଜମିକୁ ଯିବାକୁ ଦିଆଯାଉନାହିଁ। ଓଲଟି ସେମାନଙ୍କୁ ଧମକ ଦ‌‌େବା ସହ ଭୟ ଦେଖାଉଛନ୍ତି। ଏହି ଅଭିଯୋଗ ପାଇବା ପରେ ଓଟିଭି ଏମ୍‌ଡି ଶ୍ରୀମତୀ ପଣ୍ଡାଙ୍କ ବାପା ଓ ଭାଇଙ୍କ ନା’ରେ ଆଇପିସିର ଧାରା ୪୪୭, ୫୦୬, ୩୪ ଏବଂ ଏସ୍‌ସି ଏସ୍‌ଟି ଆକ୍ଟର ଧାରା ୩(୧) (ଏଫ୍‌)(ଜି)୨ରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୁଲିସ। ବାଘମାରୀ ଥାନା ପୁଲିସ ସହିତ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର ପହଞ୍ଚି ଏହାର ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର