ଲକ୍‌ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲା : ଓଟିଭି ଏମ୍‌ଡି ମହିଳା କମିସନରେ ହାଜର

ଓଟିଭି ଏଚଆର ମୁଖ୍ୟଙ୍କୁ ପୁଣି ଜେରା

ଶୁଣାଣି ବେଳେ ଉପସ୍ଥିତ ନ ଥିବାରୁ ପୁଣି ନୋଟିସ କରାଯିବ: ଅଧ୍ୟକ୍ଷା
ଦୋଷୀ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡ ହେଉ: ଜାଗିମଙ୍ଗତ

ଭୁବନେଶ୍ୱର : ଲକ୍‌ଡାଉନରେ ରାଜଧାନୀରେ ଗଣଦୁଷ୍କର୍ମ ମାମଲାରେ ମହିଳା କମିସନରେ ହାଜର ହୋଇଛନ୍ତି ଓଟିଭି ଏମ୍‌ଡି ଜାଗିମଙ୍ଗତ ପଣ୍ଡା। କମିସନଙ୍କ ନୋଟିସ୍ ଆଧାରରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଶ୍ରୀମତୀ ପଣ୍ଡା ହାଜର ହୋଇଥିଲେ। ପ୍ରାୟ ଅଧଘଣ୍ଟାଏ ପରେ ସେ ମହିଳା କମିସନ ଅଫିସରୁ ବାହାରି ଫେରି ଯାଇଥିଲେ। ଏହାପରେ କମିସନ ଅଧ୍ୟକ୍ଷା ମିନତି ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀମତୀ ପଣ୍ଡା ହାଜିରା ଦେଲେ କିନ୍ତୁ ଶୁଣାଣି ବେଳେ ଉପସ୍ଥିତ ରହିଲେ ନାହିଁ। ଅନ୍ୟ କାମ ଥିବା ସେ ଲିଖିତ ଆକାରରେ ଦେଇଛନ୍ତି। ଆମ ନୋଡାଲ୍ ଅଧିକାରୀ ପୁଲିସ ହୋଇଥିବାରୁ ଡିସିପିଙ୍କ ମାଧ୍ୟମରେ ଆଉ ଥରେ ନୋଟିସ୍ ଜାରି କରାଯିବ। ଏକ ସପ୍ତାହ ଭିତରେ ପରବର୍ତ୍ତୀ ତାରିଖ ଦେବୁ। ଏବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଆଗକୁ ଏହାର ତଦନ୍ତ ହେବ। ଗୋଟିଏ ଦିନରେ ତଦନ୍ତ ସରେ ନାହିଁ। ମାମଲା ବିଚାରାଧୀନ ସମୟରେ ଅଡିଓ କ୍ଲିପ୍ ଟିଭିରେ ପ୍ରସାରଣ ହେବା ଠିକ୍ ନୁହେଁ। ଆମ ଦ୍ବାରା ଅଡିଓ ଲିକ୍ ହୋଇ ନାହିଁ ବୋଲି ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଓଟିଭି ଏମ୍‌ଡି ଶ୍ରୀମତୀ ପଣ୍ଡା ଏକ ପ୍ରେସ୍ ରିଲିଜ୍ ଜରିଆରେ ବିବୃତି ଦେଇ କହିଛନ୍ତି, ମୋର ଏକାନ୍ତ ଇଚ୍ଛା ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ଅଭିଯୋଗ ସତ୍ୟ ହେଲେ ଯିଏ ବି ଦୋଷୀ ହୋଇଥାଉ ନା କାହିଁକି ଦୃଷ୍ଟାନ୍ତମୂଳକ ଦଣ୍ଡ ହେଉ। ସେହିପରି ଅଭିଯୋଗକାରିଣୀ ଏହି ଘଟଣା ଓଟିଭି ଦୃଷ୍ଟିକୁ ଆଣିବା ପରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନଶୋଷଣ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ଗଠିତ କମିଟି ତୁରନ୍ତ କାର୍ଯ୍ୟ କରିଥିଲା। ପୁଲିସରେ ରିପୋର୍ଟ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲା। ଘଟଣା ସମ୍ପର୍କରେ ଅଭିଯୋଗକାରିଣୀ ଶିଶୁ ସୁରକ୍ଷା ଅଧିକାରୀ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିସନ କିଛି ତଦନ୍ତ କରିବା ପୂର୍ବରୁ ଆମକୁ ନୋଟିସ୍ କରିଦେଲେ। ପୋକ୍‌ସୋ ଆଇନ ଭାଙ୍ଗି ପୀଡିତାଙ୍କ ନାଁ ନେଇଥିଲେ। ତାଙ୍କ ଭଳି ସରକାରୀ ପ୍ରୋତ୍ସାହନରେ ଚାଲୁଥିବା କିଛି ଚ୍ୟାନେଲ ନାଁ ନେଇଥିଲେ। କାର୍ଯ୍ୟ ପରିସର ଭୁଲି ଅଧିକ ପଦକ୍ଷେପ ପାଇଁ କମିସନ ଚାପର ସମ୍ମୁଖୀନ ହୋଇଛନ୍ତି କି? ପୋକ୍‌ସୋ ଆଇନ ଉଲ୍ଲଂଘନ ପାଇଁ ତାଙ୍କ ପ୍ରତି କିଛି ମାମଲା ହୋଇଛି କି? ମାମଲା ରୁଜୁ ହେବା ୨୦ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଏଯାଁଏ ଚିହ୍ନଟ କରାଯାଇ ପାରି ନାହିଁ। ସେହିପରି ମହିଳା କମିସନଙ୍କ ନିକଟରେ ଦାଖଲ ହୋଇଥିବା ଅଡିଓ ସମ୍ପୃକ୍ତ ଚ୍ୟାନେଲରେ କେମିତି ପ୍ରସାରଣ ହେଲା ତାହାର ମଧ୍ୟ ତଦନ୍ତ କରାଯାଉ। ଏପରି ନ କଲେ ନିରପେକ୍ଷ ତଦନ୍ତ ପ୍ରତି ପ୍ରଶ୍ନ ଉଠିବ। ନିରପେକ୍ଷ ତଦନ୍ତ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିବେଦନ କରିଛନ୍ତି ଶ୍ରୀମତୀ ପଣ୍ଡା।

ସୂଚନାଯୋଗ୍ୟ, ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୁଲିସ। ଏଥିରେ ଓଟିଭିର ଦୁଇ କର୍ମଚାରୀ, ଦୁଇ ସୁରକ୍ଷାକର୍ମୀ ଓ ୩ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଝିଅକୁ ଦୁଷ୍କର୍ମ ନେଇ ଓଟିଭି ଏମ୍‌ଡିଙ୍କୁ ପୀଡିତାଙ୍କ ମା’ ଫୋନ୍ ଯୋଗେ ଜଣାଇଥିଲେ। ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ ବୋଲି ଗତ ୧୩ ତାରିଖରେ ପୀଡ଼ିତାଙ୍କ ମା’ ମହିଳା କମିସନ ଅଧ୍ୟକ୍ଷାଙ୍କୁ ଭେଟି ଲିଖିତ ଅଭିଯୋଗ ଦେବା ସହ ଫୋନ୍ ବାର୍ତ୍ତାଳାପର ଅଡିଓ ଦେଇଥିଲେ। ଓଟିଭି ଏମ୍‌ଡିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଗତ ୧୪ ତାରିଖରେ କମିସନ ନୋଟିସ୍ ଜାରି କରିଥିଲେ।

ଓଟିଭି ଏଚଆର ମୁଖ୍ୟଙ୍କୁ ପୁଣି ଜେରା
ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏଚ୍‌ଆର ମୁଖ୍ୟଙ୍କୁ ପୁଣି ଥରେ ଜେରା କରିଛି ମହିଳା ଥାନା ପୁଲିସ। ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଛି। କେଉଁ ତଥ୍ୟ ହାସଲ ଲାଗି ଦୁଇ ଦୁଇ ଥର ଜେରା କରାଯାଉଛି ସେ ସମ୍ପର୍କରେ ପୁଲିସ ମୁହଁ ଖୋଲୁ ନାହିଁ। ପୀଡ଼ିତାଙ୍କ ନାବାଳିକାଙ୍କ ମା’ଙ୍କ ନିଯୁକ୍ତି, ମହିଳାଙ୍କ ଅଭିଯୋଗ, ଅଡିଓ ଟେପ୍ ସମ୍ପର୍କରେ ପଚରାଉଚରା କରାଯାଇଥିବା କୁହାଯାଇଛି। ଏହା ପୂର୍ବରୁ ଗତ ୧୮ ତାରିଖରେ ଏଚ୍‌ଆର ମୁଖ୍ୟଙ୍କୁ ପ୍ରଥମ ଥର ଜେରା କରା ଯାଇଥିଲା। ଏହି ମାମଲାରେ ପୂର୍ବରୁ ଓଟିଭିର ସହକାରୀ ଏଚ୍ଆର ମ୍ୟାନେଜର, ଇନପୁଟ୍ ଏବଂ ଆଉଟପୁଟ୍ ମୁଖ୍ୟଙ୍କୁ ଜେରା ହୋଇଥିଲା।

ସମ୍ବନ୍ଧିତ ଖବର