ବିଧାନସଭାର ସ୍ୱାଧିକାର ଭଙ୍ଗ ନୋଟିସ ନେଇ କମିଟି ଆଗରେ ହାଜର ହୋଇ ପକ୍ଷ ରଖିଲେ ଜାଗି ମଙ୍ଗତ ପଣ୍ଡା

ଭୁବନେଶ୍ବର: ଗୃହର ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇଛନ୍ତି ଓଡ଼ିଶା ଟେଲିଭିଜନ ଲିମିଟେଡର  ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା । ଏଥିପାଇଁ କମିଟି ଜାନୁଆରି ୨୮ କିମ୍ବା ତା ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ  ତାଙ୍କୁ ନୋଟିସ ଜାରି କରିଥିଲେ।

ତଦନୁଯାୟୀ ସୋମବାର ବିଧାନସଭାର ସ୍ୱାଧୀକାର କମିଟି ନିକଟରେ ଉପସ୍ଥିତ ହୋଇ ପକ୍ଷ ରଖିଛନ୍ତି ଶ୍ରୀମତୀ ପଣ୍ଡା। ସେ କହିଛନ୍ତି କି ଓଟିଭିରେ ଖବର ପ୍ରସ୍ତୁତିରେ ପରିଚାଳନା ପକ୍ଷରୁ କୌଣସି ହସ୍ତକ୍ଷେପ କରାଯାଏ ନାହିଁ। ଓଟିଭିର ‘ଚାର୍ଟର’କୁ ଅନୁସରଣ କରି ସାମ୍ବାଦିକମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରିଥାଆନ୍ତି।

ଅନ୍ୟପକ୍ଷରେ ସ୍ୱାଧିକାର କମିଟିର ଅଧ୍ୟକ୍ଷ ମନ୍ତ୍ରୀ ପ୍ରତାପ ଜେନା ମତ ଦେଇଛନ୍ତି କି ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି। ପରବର୍ତ୍ତୀ ତାରିଖରେ ଏ ନେଇ ଅଧିକ ଆଲୋଚନା ହେବ। ବାଚସ୍ପତି ଓ ବିଧାନସଭାକୁ ଆକ୍ଷେପ କରି କେହି ଖବର ପରିବେଷଣ କରିପାରିବେ ନାହିଁ। ମାତ୍ର ଓଟିଭିରେ ‘କିଏ ଗୃହ ଚଳାଉଛନ୍ତି’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସ୍ୱାଧିକାର ଭଙ୍ଗ ନୋଟିସ ଆସିଛି।

୨୦୧୮ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ଏହି ମାମଲାରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ କମିଟି ଉପସ୍ଥିତ ହେବାକୁ ନୋଟିସ କରିଥିଲେ।

ସମ୍ବନ୍ଧିତ ଖବର