ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ସାରୁଅ ଠାରେ ଜମି ଜାଲିଆତିକୁ ନେଇ ଓଟିଭି-ତରଙ୍ଗ ବିବାଦରେ ରହିଥିବା ବେଳେ ଆଜି ସେଠାରେ କାମ କରୁଥିବା ସାରୁଅ ଗାଁର କିଛି ଠିକା କର୍ମଚାରୀଙ୍କୁ ମାଡ଼ମାରିବା ଅଭିଯୋଗରେ ଓଟିଭିର ଦୁଇଜଣ କର୍ମଚାରୀ ଗିରଫ ହୋଇଛନ୍ତି।

Advertisment

ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ସାରୁଅ ଓଟିଭି-ତରଙ୍ଗର କାର୍ଯ୍ୟାଳୟରେ କାମ କରୁଥିବା କିଛି ଠିକା କର୍ମଚାରୀ ସବୁଦିନ ଭଳି ଆଜି ସକାଳ ୯ଟାରେ କାମ କରିବାକୁ ଯାଇଥିଲେ । ତେବେ ସେମାନଙ୍କୁ ଠିକ୍‌ରେ ଦରମା ମିଳୁଥିବା ଓ ଓଟିଭି ସହ କୌଣସି ବିବାଦ ନଥିବା ଆଦି ଲେଖାଥିବା ଏକ କାଗଜରେ ସ୍ୱାକ୍ଷର କରିବାକୁ କହିଥିଲେ। ଠିକା କର୍ମଚାରୀମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ଦେଇ କାର୍ଯ୍ୟାଳୟ ବାହାରକୁ ଠେଲିଦେଇଥିଲେ। ଏହି ଘଟଣାରେ ପ୍ରବୋଧ କୁମାର ମଲ୍ଲିକ ଓ ଅନ୍ୟ ୧୦ଜଣ କର୍ମଚାରୀ ଲିଖିତ ଭାବେ ବାଘମାରୀ ଥାନାରେ ଏତଲା ଦେଇଥିଲେ। ଏତଲା ଭିତ୍ତିରେ ଭାରତୀୟ ପିଙ୍ଗଳକୋଡ୍ ୩୪୧, ୩୨୩, ୨୯୪, ୩୪ ଓ ଅନୁସୂଚିତ ଜାତି ଓ ଜନଜାତି ଆଇନର ଦଫାରେ ୮୭/୨୦୨୦ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ, ଦୀନବନ୍ଧୁ ସାମନ୍ତ (୩୧) ଓ ବିଶ୍ୱଜିତ ରାଉତରାୟ (୩୪) ନାମକ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

ତେବେ ଉଭୟ ଦୀନବନ୍ଧୁ ଓ ବିଶ୍ୱଜିତ ସେମାନଙ୍କୁ ଠିକା କର୍ମଚାରୀମାନେ ଆକ୍ରମଣ କରି ମାଡ଼ ମାରିଥିବା ନେଇ ମଧ୍ୟ ବାଘମାରୀ ଥାନାରେ ଏତଲା ଦେଇଛନ୍ତି। ଏନେଇ ଏସ୍‌ପି ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଅଭିଯୋଗର ତର୍ଜମା ଓ ତଦନ୍ତ କରାଯାଇ ଆଇନାନୁସାରେ ପଦକ୍ଷେପ ନିଆଯିବ ।