ଭୁବନେଶ୍ବର: ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଓଟିଭି କାର୍ଯ୍ୟାଳୟ ଜମି ମାପଚୁପ କରାଯାଇଛି। କାର୍ଯ୍ୟାଳୟ ଚାରିପାଖରେ ୧୨ ହଜାର ୯୮୦ ବର୍ଗ ଫୁଟ୍ ଜମି ଜବରଦଖଲ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଇଡ୍କୋ ସମେତ ବିଏମ୍ସି, ବିଡିଏ ଓ ଭୁବନେଶ୍ବର ତହସିଲ୍ର ଅଧିକାରୀଙ୍କୁ ନେଇ ଗଠିତ ମିଳିତ ଟିମ୍ ଆଜି ମାପଚୁପ୍ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ କାର୍ଯ୍ୟାଳୟର କିଛି ଅଂଶ ସରକାରୀ ଜମିରେ ରହିଛି। ଖୁବ୍ଶୀଘ୍ର ଏ ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇଡ୍କୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଗତ ୨୦ ତାରିଖରେ ଏ ନେଇ ଇଡ୍କୋ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ୨୨ ତାରିଖରେ ଓଟିଭି କର୍ତ୍ତୃପକ୍ଷ ଏହାର ଉତ୍ତରରେ କହିଥିଲେ ଯେ ସେମାନେ କୌଣସି ଜାଗା ଜବରଦଖଲ କରିନାହାନ୍ତି। ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ଇଡ୍କୋ ପକ୍ଷରୁ ଆଜି ଓଟିଭି କାର୍ଯ୍ୟାଳୟ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ମାପଚୁପ କରାଯାଇଥିଲା। ଜଣାପଡ଼ିଛି ଯେ ୨୦୦୭ରେ ଇଡ୍କୋ ପକ୍ଷରୁ ଓଟିଭିକୁ ଚନ୍ଦକା ଶିଳ୍ପାଞ୍ଚଳରେ ୦.୮୩୫ ଏକର ଜମି ଆଲଟ୍ କରାଯାଇଥିଲା। ଏହି ଜମି ଏନ୍/୨୮/୨୯/୩୦ ଓ ୩୧ ନମ୍ବର ପ୍ଲଟ୍ରେ ରହିଛି। ତେବେ ଆଲଟ୍ ହୋଇଥିବା ଜମି ବ୍ୟତୀତ ଓଟିଭି ଅଧିକ ୧୨ ହଜାର ୯୮୦ ବର୍ଗଫୁଟ ଜମି ମାଡ଼ି ବସି ତା’ଉପରେ ନିର୍ମାଣ କାର୍ଯ୍ୟ କରିଛି। ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି। ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲକୁ ଜମିକୁ ମାଡ଼ି ଆସିଛି।