ହାତ ମିଳାଇଲେ ଆଇଆଇଟି ଓ ଏମ୍‌ସ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କରିବେ ମିଳିତ ଗବେଷଣା

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉପସ୍ଥିତିରେ ରାଜିନାମା, ଭୁବନେଶ୍ୱର ଆଇଆଇଟିରେ ଖୋଲିବ ବାୟୋ ଇଞ୍ଜିନିୟରିଂ ସ୍କୁଲ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ପାଇଁ ଭୁବନେଶ୍ୱର ଆଇଆଇଟି ଓ ଭୁବନେଶ୍ୱର ଏମ୍‌ସ ହାତ ମିଳାଇଛନ୍ତି। ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କିଭଳି ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ ସେଦିଗରେ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ପ୍ରଫେସର ଓ ବୈଜ୍ଞାନିକମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଉପସ୍ଥିତିରେ ଆଇଆଇଟି ନିର୍ଦେଶକ ପ୍ରଫେସର ଆର୍‌ ଭି ରାଜାକୁମାର ଓ ଏମ୍‌ସ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାଟମାନାବନେଙ୍କ ମଧ୍ୟରେ ଆଜି ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି।

ରାଜିନାମା ଅନୁଯାୟୀ ଉଭୟ ଶିକ୍ଷାନୁଷ୍ଠାନର ପ୍ରଫେସର ଓ ବୈଜ୍ଞାନିକମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ଗବେଷଣା ଆରମ୍ଭ ହେବାଠାରୁ ୫ ବର୍ଷ ପର୍ଯ୍ୟନ୍ତ ଏହି ରା‌ଜିନାମାର ବୈଧତା ରହିବ। ପରବର୍ତୀ ସମୟରେ ଉଭୟ ଅନୁଷ୍ଠାନର ମିଳିତ ଭାବେ ଆଲୋଚନା କରି ଗ‌ବେଷଣାର ଅବଧିକୁ ବଢ଼ାଇ ପାରିବେ। ଉଭୟ ଶିକ୍ଷାନୁଷ୍ଠାନର ପ୍ରଫେସରମାନେ ପରସ୍ପର ମଧ୍ୟରେ ଗବେଷଣା ଓ ଶିକ୍ଷା‌ ସମ୍ପର୍କିତ ତଥ୍ୟର ଆଦାନପ୍ରଦାନ କରିବେ। ନିୟମିତ ବ୍ୟବଧାନରେ ଉଭୟ ଶିକ୍ଷାନୁଷ୍ଠାନରେ ଆଲୋଚନାଚକ୍ର, ବୌଦ୍ଧିକ ସମ୍ମିଳନୀ, କର୍ମଶାଳା, ପାଠଚକ୍ର, ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ସମ୍ମିଳନୀ, ଅତ୍ୟାଧୁନିକ ଜ୍ଞାନକୌଶଳ ମଧ୍ୟରେ ସ୍ବାସ୍ଥ୍ୟ ସେବାର ବିଭିନ୍ନ ଶାଖା ଉପରେ ଗବେଷଣା କରିବେ।

ଆଇଆଇଟି ନିର୍ଦେଶକ ପ୍ରଫେସର ରାଜାକୁମାରଙ୍କ କହିବାନୁଯାୟୀ ସ୍ବାସ୍ଥ୍ୟ ବିଜ୍ଞାନରେ ବାୟୋ-ମେଡିକାଲ ଆପ୍ଲିକେସନର ପ୍ର‌ୟୋଗ ଉପ‌ରେ ଉଭୟ ଶିକ୍ଷାନୁଷ୍ଠାନ କାମ କରିବେ। ମେଡିସିନ୍‌ ଓ ସର୍ଜରି ବିଷୟରେ ଆମେ ସେମାନଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରିବୁ। ସେମାନେ ମଧ୍ୟ ଆମକୁ ବାୟୋ ଇଞ୍ଜିନିୟରିଂ କ୍ଷେତ୍ରରେ ସହାୟତା ଯୋଗାଇବେ। କାରଣ ଖୁବ୍‌ଶୀଘ୍ର ଭୁବନେଶ୍ବର ଆଇଆଇଟିରେ ବାୟୋ ଇଞ୍ଜିନିୟରିଂ ସ୍କୁଲ ଖୋଲିବାକୁ ଯାଉଛି। ଏଦିଗରେ ଏମ୍‌ସ କର୍ତୃପକ୍ଷଙ୍କ ଜ୍ଞାନକୌଶଳ ସହାୟକ ହେବ। ବାୟୋ-ଇଞ୍ଜିନିୟରିଂ, ପ୍ରୋ-ବାୟୋଟିକ୍ସ, ବାୟୋ-ମେଡିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଗବେଷଣା କରାଯିବ। ଏମ୍‌ସର ବାୟୋ ମେଡିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଇଆଇଟି ସେମାନଙ୍କୁ ସହାୟତା ଯୋଗାଇ ଦେବ। ଏଥିପାଇଁ ବିଭିନ୍ନ କ୍ଷେତ୍ରରୁ କିଭଳି ପାଣ୍ଠି ଆସିପାରିବ ସେନେଇ ଉଭୟ ଲାଗିପଡ଼ିଛୁ।

ଏମ୍‌ସ ନିର୍ଦେଶିକା ପ୍ରଫେସର ବାଟମାନାବନେ କହିଛନ୍ତି ଯେ ଯେକୌଣସି ମେଡିସିନ୍‌ ପାଇଁ ବୈଷୟିକ ଜ୍ଞାନକୌଶଳ ନିହାତି ଆବଶ୍ୟକ। ତେଣୁ ଆଇଆଇଟି ଭୁବନେଶ୍ବର ସହ ମିଶି କ୍ୟାନସର ଗବେଷଣା, ମାଇକ୍ରୋ ବାୟୋ, ନାନୋ ମ୍ୟାଟରିଆଲ୍ସ ଆଦି କ୍ଷେତ୍ରରେ କାର୍ଯ୍ୟ କରିବୁ। ଏମ୍‌ସରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଅନ୍‌ କ୍ଲିନିକାଲ ମାଇକ୍ରୋବାୟୋ ରିସର୍ଚ୍ଚ ପାଇଁ ଆମେ ଅର୍ଥ ପାଇଛୁ। ତେଣୁ ସେ କ୍ଷେତ୍ରରେ ବି ଉଭୟ ମିଶି କାର୍ଯ୍ୟ କରିବୁ। ପ୍ରଥମ ଥର ପାଇଁ ଉଭୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଏଭଳି ରାଜିନାମା ହେଉଛି। ଏହି ଗବେଷଣା କାର୍ଯ୍ୟକାରୀ ହେବାକୁ ପାଖାପାଖି ଦେଢ଼ ବର୍ଷ ଲାଗିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର