ଜଳବାୟୁ ପରିବର୍ତନ ସମ୍ପର୍କିତ ଗବେଷଣା ପ୍ରକଳ୍ପ : ଓୟୁଏଟି ଏବଂ ସିଟ୍ରାନ୍‌ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଜଳବାୟୁ ପରିବର୍ତନ ସମ୍ପର୍କିତ ଗବେଷଣା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ଭୁବନେଶ୍ୱରସ୍ଥିତ ସିଟ୍ରାନ୍‌ କନସ୍‌ଲଟିଂ ଲିମିଟେଡ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଉପସ୍ଥିତିରେ ଆଜି ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଦ୍ୱାରା ଜଳବାୟୁ ପରିବର୍ତନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରସ୍ତୁତି ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଓୟୁଏଟି ଏବଂ ସିଟ୍ରାନ୍‌ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ। ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟ ଅଧିକ ଫଳପ୍ରଦ ହୋଇପାରିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

ଏହାଦ୍ୱାରା ରାଜ୍ୟର କୃଷକମାନେ ମଧ୍ୟ ସମୟଭିତ୍ତିକ ପରାମର୍ଶ ପାଇବା ସହିତ ଜଳବାୟୁ ପରିବର୍ତନ ଜନିତ କୁପ୍ରଭାବରୁୁ ଫସଲକୁ ରକ୍ଷା କରିପାରିବେ। ଏହି ବୁଝାମଣାପତ୍ରରେ ଓୟୁଏଟି ପକ୍ଷରୁ ଯୋଜନା, ତଦାରଖ ଓ ମୂଲ୍ୟାୟନ ବିଭାଗର ନିର୍ଦ୍ଦେଶକ ଡ. କୁମ୍ଭକର୍ଣ୍ଣ ରାଉତ ଏବଂ ସିଟ୍ରାନ୍‌ ତରଫରୁ ପରିଚାଳନା ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ସ୍ୱାକ୍ଷର କରିଥିଲେ। ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର