କରୋନାକୁ ଦୃଷ୍ଟିରେ ରଖି ଛୁଟି ହେଲା ଓୟୁଏଟି

ରାତି ୧୨ରୁ ବିମାନ ସେବା ବନ୍ଦ

ଭୁବନେଶ୍ୱର : କରୋନାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ଅଧ୍ୟାପକ ଓ କର୍ମଚାରୀଙ୍କ ଛୁଟି ଘୋଷଣା କରାଯାଇଛି। ଓୟୁଏଟି କୁଳସଚିବ ଲୋପାମୁଦ୍ରା ମହାନ୍ତି ଆଜି ବିଶ୍ୱବିଦ୍ୟାଳୟର ସମସ୍ତ ଡିନ୍‌ ଓ ନି‌ର୍ଦ୍ଦେଶକଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି। ଲକ୍‌-ଡାଉନ୍‌ ବେଳେ କର୍ମଚାରୀ ଓ ଅଧ୍ୟାପକ ବିଶ୍ବବିଦ୍ୟାଳୟ ଆସିବେ ନାହିଁ। ତେବେ କର୍ମଚାରୀମାନେ ମୁଖ୍ୟାଳୟରେ ମହଜୁଦ ରହିବେ। ଜରୁରୀ କାମ ପାଇଁ କିଛି କାର୍ଯ୍ୟାଦେଶ ଦିଆଗଲେ, ତାହାକୁ ତୁରନ୍ତ ପାଳନ କରିବେ। ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ମଞ୍ଜି, ମାଛ ଚାଷ ସମେତ ଅନ୍ୟ ଫସଲ ଦାୟିତ୍ୱରେ ଥିବା ୟୁନିଟ୍‌ ମୁଖ୍ୟମାନେ ରକ୍ଷଣାବେକ୍ଷଣ କାର୍ଯ୍ୟ ନିୟମିତ ଭାବେ କରିବେ ବୋଲି ଚିଠି‌ରେ ଉଲ୍ଲେଖ କରିଛନ୍ତି।

ରାତି ୧୨ରୁ ବିମାନ ସେବା ବନ୍ଦ
ଭୁବନେଶ୍ବର : ଆଜି ରାତି ୧୨ଟା ପରେ ସାରା ଦେଶରେ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିବ। ଏହାଦ୍ବାରା ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ବି ବିମାନ ଯାତାୟାତ କରିବନି। ସାରା ଦେଶରେ ଏପ୍ରିଲ୍‌ ୧୫ପର୍ଯ୍ୟନ୍ତ ଲକଡାଉନ୍ ହୋଇଥିବାରୁ ବିମାନ ସେବା ଅନ୍ତତଃ ଏପ୍ରିଲ ୧୫ପର୍ଯ୍ୟନ୍ତ ବନ୍ଦ ରହିପାରେ ବୋଲି କୁହାଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରାତି ୧୧ଟା ୫୯ସୁଦ୍ଧା ସମସ୍ତ ବିମାନ ଅବତରଣ କରିବାକୁ କୁହାଯାଇଛି। ୨୫ତାରିଖରୁ କୌଣସି ବିମାନ ଉଡ଼ାଣ କରିବନି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଓ ରେଳ ଚଳାଚଳ ବନ୍ଦ କରାଯାଇଛି। ଅପରପକ୍ଷେ ଆଜି ପୂର୍ବାହ୍ନ ୧୧ଟାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରାଯାଇଛି। ସମସ୍ତ ସହରାଞ୍ଚଳରେ ଗଡ଼ୁଥିବା ସିଟି ବସ୍‌ଗୁଡ଼ିକୁ ବି ୨୩ତାରିଖ ରାତି ୧୨ଟାରୁ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର