ଭୁବନେଶ୍ବର: ଓୟୁଏଟି ଭୁବନେଶ୍ବର ସ୍ଥିତ ନଡ଼ିଆ ଗବେଷଣା କେନ୍ଦ୍ରରେ ଆଉ ନୂତନ ଗବେଷଣା ହେବ ନାହିଁ। ପୁରୀ ଜିଲ୍ଲା ସାକ୍ଷୀଗୋପାଳକୁ ଏହା ସମ୍ପୂର୍ଣ୍ଣ ଉଠିଯିବ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆପତ୍ତି ପରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଗବେଷଣା କେନ୍ଦ୍ରରେ ଥିବା ଗଛ ଯୋଗୁ ବିଭିନ୍ନ ସମୟରେ ବିମାନ ଉଡ଼ାଣ ସମସ୍ୟା ହେଉଥିବା କୁହାଯାଉଥିଲା। ଏଣୁ ଏହାକୁ ସ୍ଥାନାନ୍ତର କରିବାକୁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ହେବ ଆପତ୍ତି କରି ଆସୁଥିଲେ।

Advertisment

୧୩ ଏକର ଜମିରେ ଓୟୁଏଟିର ଏହି ନଡ଼ିଆ ଗବେଷଣା କେନ୍ଦ୍ର ରହିଛି। ଏଥିରେ ଦେଶୀ, ବିଦେଶୀ ଓ ଓଡ଼ିଶାର ୧୨ ପ୍ରଜାତିର ହାଇବ୍ରିଡ୍‌ ନଡ଼ିଆ ସମେତ ମୋଟ ୫୫ ପ୍ରକାରର ୮୫୦ ନଡ଼ିଆ ଗଛ ଅଛି। ସ୍ଥାନାନ୍ତରଣ ପ୍ରକ୍ରିୟାରେ ଏହି ଗଛଗୁଡ଼ିକର ଭବିଷ୍ୟତ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଯଦିଓ ଏସମ୍ପର୍କରେ କେହି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି, ତଥାପି ବିଶେଷଜ୍ଞଙ୍କ ଅନୁସାରେ, ଗୋଟିଏ ନଡ଼ିଆ ଗଛକୁ ପରିପୃଷ୍ଟ ହେବା ପାଇଁ ୨୦ ବର୍ଷ ଲାଗିଯାଏ। ବର୍ତ୍ତମାନ ଏଠାରେ ସବୁ ପୁରୁଣା ନଡ଼ିଆ ଗଛ ରହିଛି। ସରକାରୀ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାକୁ ତତ୍‌କ୍ଷଣାତ୍‌ ସ୍ଥାନାନ୍ତର କରିବା ସହଜ ନୁହେଁ। ଏହି ସ୍ଥାନାନ୍ତର ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିବ। ଏବେ ନୂତନ ଗବେଷଣା ଆରମ୍ଭ ହୋଇନଥିଲେ ମଧ୍ୟ ପୁରୁଣା ଗବେଷଣା ଆହୁରି କିଛି ବର୍ଷ ଜାରି ରହିବ।

ଓୟୁଏଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାକ୍ଷୀଗୋପାଳରେ ପୂର୍ବରୁ ରାଜ୍ୟ ସରକାରଙ୍କ ନଡ଼ିଆ ଫାର୍ମ ରହିଛି। ଏଠାରେ ଓୟୁଏଟି ପାଇଁ ୪୦ ଏକର ଜମି ମଧ୍ୟ ଦିଆଯାଇଛି। ଏହି ଜମିରେ ନଡ଼ିଆ ସମେତ ଦୁଇଟି ଗବେଷଣା କେନ୍ଦ୍ର ରହିବ। ଏଠାରେ ଓୟୁଏଟିର(ସ୍ଥାନାନ୍ତର ହେବାକୁ ଥିବା) ଗବେଷଣା କେନ୍ଦ୍ର ଖୋଲିବା ପାଇଁ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସ୍ବାଭାବିକ ସ୍ଥିତିକୁ ଆସିବାକୁ ଆହୁରି ଅନେକ ବର୍ଷ ଲାଗିବ। ଫଳରେ ନୂତନ ଗବେଷଣା ପାଇଁ ଅନେକ ବର୍ଷ ଅପେକ୍ଷା କରିବାକୁ ହେବ। ପୂର୍ବରୁ ଫନି ବାତ୍ୟା ଓୟୁଏଟିର ଏହି ନଡ଼ିଆ ଗବେଷଣାକୁ ଭୟଙ୍କର ପ୍ରଭାବିତ କରିଥିଲା। ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଯାଇଥିଲା। ଯାହାର ପ୍ରଭାବ ଏବେ ବି ଲାଗି ରହିଛି। ନଡ଼ିଆ ଚାରା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।

ଉଲ୍ଲେଖଯୋଗ୍ୟ, ୧୯୬୨ ମସିହାରେ ଦେଶର ଦ୍ବିତୀୟ ସର୍ବପୁରାତନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଏହାର ପରିସୀମା ୫୯୯.୩୪ ଏକର ଥିଲା। ବର୍ତ୍ତମାନ ଏହା କେବଳ ୨୦୩ ଏକର ଜମିରେ ସୀମିତ ରହିଛି। ବିମାନବନ୍ଦର ମଧ୍ୟ ଓୟୁଏଟିର ୯୦.୫୪୫ ଏକର ଜମିରେ ରହିଛି। ସେହି ଜମିରେ ଧାନ ଓ ଚାଉଳ ଗବେଷଣା ହେଉଥିଲା। ନଡ଼ିଆ ଓ ସମନ୍ବିତ କୃଷି ଗବେଷଣା କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ବର୍ଷାଧିକ ସମୟ ହେଲା ନିଷ୍ପତ୍ତି ହୋଇଛି। ଓୟୁଏଟିରୁ ସାକ୍ଷୀଗୋପାଳକୁ ଗବେଷଣା ପାଇଁ ଯିବା ଉଭୟ ବିଦ୍ୟାର୍ଥୀ ଓ ପ୍ରାଧ୍ୟାପକଙ୍କ ପାଇଁ ସହଜ ହେଉନଥିବାରୁ ଏହାକୁ କାର୍ଯ୍ୟକାରୀ କରାଯାଉନଥିଲା। ବର୍ତ୍ତମାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଚାପରେ ଏହି ପୁରୁଣା ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ କରାଯାଉଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଓୟୁଏଟିର ଗବେଷଣା କେନ୍ଦ୍ରର ଗଛ ପାଇଁ ନିୟମିତ ଭାବରେ ପକ୍ଷୀ ଉଡ଼ୁଥିଲେ। ଫଳରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହେଉଥିଲା। ବିଭିନ୍ନ ସମୟରେ ବିମାବନ୍ଦରକୁ ଗୋଧୀ ଓ ବିଲୁଆ ମଧ୍ୟ ପଶିଆସୁଥିଲେ। ଏଣୁ ଏହାର ସ୍ଥାନାନ୍ତର ଆବଶ୍ୟକତା ଥିଲା।