ଓୟୁଏଟିକୁ ଆସିଲା ଖୋର୍ଧାରୁ ଉଦ୍ଧାର ଅଜଗର

ଭୁବନେଶ୍ୱର: ରବିବାର ସକାଳେ ଗଡ଼ ଖୋର୍ଧା ନିକଟରେ ଏକ ଅଜଗର ଉପରେ କୌଣସି ଗାଡ଼ି ଚଢ଼େଇ ଦେବା ପରେ ସାପଟି ଆହତ ହୋଇ ରାସ୍ତାରେ ପଡ଼ି ରହିଥିଲା। ଏନେଇ କିଛି ସ୍ଥାନୀୟ ବ୍ୟକ୍ତି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସ୍ଥାନୀୟ ସଦସ୍ୟ ଆଶିଷ ବାରିକଙ୍କୁ ଖବର ଦେଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ୨୦କେଜି ୩୦୦ ଗ୍ରାମ ଓଜନର ୧୩ ଫୁଟିଆ ଅଜଗରକୁୁ ଉଦ୍ଧାର କରି ଖୋର୍ଧା ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚାଇଥିଲେ। ତେବେ ଗତକାଲି ରବିବାର ଥିବାରୁ ଆଜି ଅଜଗରକୁ ଓୟୁଏଟିର ଭେଟେରିନାରିକୁ ଆଣି ଏକ୍ସ-ରେ କରାଇଥିଲେ। ଏକ୍ସରେରୁ ସାପର ମେରୁଦଣ୍ଡର ଦୁଇଟି ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ତେବେ ସାପକୁ ନେଇ ଆସିଥିବା ଖୋର୍ଧା ବନାଞ୍ଚଳ ଅଧିକାରୀ ମନୋଜ ମହାପାତ୍ର ଓ ରେଞ୍ଜ୍‌ ଅଧିକାରୀ ଉତ୍ତମ ଗଡ଼ନାୟକ ଏକ୍ସ-ରେ ଓ ପ୍ରାଥମିକ ଚିକିତ୍ସା ପରେ ସାପକୁ ସାଥିରେ ନେଇଯାଇଥିଲେ। ଡ.ଇନ୍ଦ୍ରମଣି ନାଥ ସାପର ଏକ୍ସରେ କରିଥିଲେ। ସ୍ନେକ୍‌ ହେଲ୍‌ପଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନିଜ ଅଭିଜ୍ଞତାରୁ କହିଲେ, ଅଜଗରର ଅବସ୍ଥା ଯାହା ତାକୁ କିଛି ଦିନ ଚିକିତ୍ସା ସହ ପର୍ଯ୍ୟବେକ୍ଷଣରେ ରଖିବାର ଆବଶ୍ୟକତା ରହିଛି। ନଚେତ୍‌ ସାପକୁ ଯଦି ସମ୍ପୂର୍ଣ୍ଣ ଭଲ ନହୋଇ ଜଙ୍ଗଲରେ ଛାଡ଼ି ଦିଆଯାଏ ତେବେ ସେ ଜଙ୍ଗଲରେ ଖାଇବା ପରେ କୌଣସି ଗଛରେ ଗୁଡ଼ାଇ ହେବା ଫଳରେ ତାହା ତା’ର ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇପାରେ। ତେଣୁ ସେ ସାପଟିକୁ ପୂରା ସୁସ୍ଥ ହେବା ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖିବା ଉଚିତ୍‌ ବୋଲି କହିଥିଲେ।

ସମ୍ବନ୍ଧିତ ଖବର