ଜୁଲାଇ ୨୩ରୁ ଓୟୁଏଟି କାଉନ୍‌ସେଲିଂ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷାବର୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ନାମଲେଖା ପାଇଁ ଜୁଲାଇ ୨୩ରୁ କାଉନସେଲିଂ ଆରମ୍ଭ ହେବ। ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାଉନସେଲିଂ ପ୍ରକ୍ରିୟା ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ଓୟୁଏଟିସ୍ଥିତ ସ୍ୱାମୀନାଥନ୍‌ ହଲ୍‌ ପରିସରରେ ଏହି କାଉନ୍‌ସେଲିଂ ଅନୁଷ୍ଠିତ ହେବ। ଜୁଲାଇ ୨୩, ୨୪ ଓ ୨୫ ତାରିଖରେ ସାଧାରଣ ବର୍ଗର ୩୯୨ ସିଟ୍‌ ପାଇଁ କାଉନ୍‌ସେଲିଂ ହେବାକୁ ଥିବା ବେଳେ ଏସ୍‌ସି ବର୍ଗର ୪୪, ଏସ୍‌ଟି ବର୍ଗର ୬୬ ସିଟ୍‌ ପାଇଁ ୨୫ ତାରିଖରେ କାଉନ୍‌ସେଲିଂ ହେବ। ୨୬ ତାରିଖରେ ଗ୍ରିନ୍‌ କାର୍ଡଧାରୀ ଓ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବା ୩୦ଟି ଲେଖାଏ ସିଟ୍‌ ପାଇଁ କାଉନ୍‌ସେଲିଂ କରାଯିବ। ଏହି ଦିନ ପଶ୍ଚିମ ଓଡ଼ିଶା(କେବଳ ବି.ଏସ୍‌ସି ଉଦ୍ୟାନକୃଷି)ରେ ଥିବା ୧୫ଟି ସିଟ୍‌ ପାଇଁ କାଉନ୍‌ସେଲିଂ ହେବ। ୨୭ ତାରିଖରେ ଓୟୁଏଟି କର୍ମଚାରୀ(କଷ୍ଟ ସେୟାରିଂ)ଙ୍କ ୧୩ଟି ସିଟ୍‌, ଏନ୍‌ଆରଆଇ କୋଟାର ୬୦, ଆଗ୍ର୍ରୋ-ପଲିଟେକ୍‌ନିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀ(କଷ୍ଟ ସେୟାରିଂ)ଙ୍କ ୨୦ ସିଟ୍‌ ପାଇଁ ନାମଲେଖା ହେବ। କେଉଁ ଦିନ କେତେ ର‍୍ୟାଙ୍କର ଛାତ୍ରଛାତ୍ରୀଙ୍କୁ ଡକାଯାଇଛି, କେଉଁ ସମୟରେ ଆସିବେ, କେତେ ଫି’ ରହିଛି ତାହାର ବିସ୍ତତ ବିବରଣୀ ଓୟୁଏଟି େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର