ଓୟୁଏଟିରେ ନୂତନ କିସମ ମକା ଓ କପା ବିକଶିତ

୯ଟି କିସମର ବିକାଶ ପାଇଁ ପ୍ରସ୍ତାବ ଦାଖଲ
କୃଷକଙ୍କ ୨୦ଟି ଫସଲ କିସମ ପଞ୍ଜୀକୃତ

ଭୁବ‌ନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନସ୍ଥ ଗବେଷଣା ପ୍ରତିଷ୍ଠାନଗୁଡ଼ିକରୁ ଦୁଇଟି ନୂତନ କିସମ ମକା ଓ କପା ବିକାଶ ହୋଇଛି। ଏଥିସହ ୯ଟି କିସମର ବିକାଶ ପାଇଁ ପ୍ରସ୍ତାବ ଦାଖଲ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୧୭୦ଟି ସମ୍ପ୍ରସାରଣ ଯୋଗ୍ୟ ଜ୍ଞାନକୌଶଳର ବିକାଶ, ୨୨ଟି ଫସଲ କିସମ, ୭ଟି ପ୍ରାଣୀ ପ୍ରଜାତିର ପ୍ୟାଟେଣ୍ଟ କରାଯିବା ସହ କୃଷକମାନଙ୍କର ୨୦ଟି ଫସଲ କିସମ ପଞ୍ଜୀକରଣ କରାଯାଇଛି।

Collegedunia

୨୮ଟି ଜିଲ୍ଲାରେ କାର୍ଯ୍ୟରତ ୩୧ଟି କୃଷି ବିଜ୍ଞାନ କେନ୍ଦ୍ର, ୨୦୧୯-୨୦ ବର୍ଷରେ ୨୭୧ଟି କୃଷି ଓ ଆନୁଷଙ୍ଗିକ ଜ୍ଞାନକୌଶଳର ପରୀକ୍ଷାନିରୀକ୍ଷା, ୫୪୨ଟିର ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ କରିବା ସହ ୧୮୦୦ଟି ତାଲିମ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ୪୩ହଜାର ୪୭୬ ଜଣ କୃଷକ, କୃଷିଜୀବୀ ମହିଳା, ଗ୍ରାମୀଣ ଯୁବକ ଯୁବତୀ ଓ ସମ୍ପ୍ରସାରଣ କର୍ମୀଙ୍କୁ ତାଲିମ ଦିଆଯାଇଛି। ଏହି ବର୍ଷ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଫସଲର ୩ହଜାର ୯୪୪ କ୍ବିଣ୍ଟାଲ୍‌ ପିଣ୍ଡ ବିହନ, ୩୦ ଲକ୍ଷ ୫୭ ହଜାର ୨୪୦ଟି ଗୁଣାତ୍ମକମାନର ବିଭିନ୍ନ ଫଳ ଓ ପନିପରିବା ଚାରା ପ୍ରସ୍ତୁତ ହୋଇଛି। ୬ଟି କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ପଲ୍‌ସ ସିଡ଼୍ ହବ୍‌ରୁ ୭୨୫ କ୍ୱିଣ୍ଟାଲ ଡାଲି ଜାତୀୟ ଫସଲର ବିହନ, ୪ଟି ଗବେଷଣା ପ୍ରକଳ୍ପରେ ପରିଚାଳିତ ତୈଳବୀଜ ସିଡ଼୍ ହବ୍‌ରୁ ୧୧୦୦ କ୍ୱିଣ୍ଟାଲର ତୈଳବୀଜ ବିହନ ଉତ୍ପାଦନ କରାଯାଇଛି। ଗବେଷଣା କେନ୍ଦ୍ରରୁ ମଧ୍ୟ ବିଭିନ୍ନ ଫସଲର ୫୪୧କ୍ୱିଣ୍ଟାଲ ପ୍ରଜନନ ବିହନ, ୨୭୧୩ କ୍ୱିଣ୍ଟାଲ ପିଣ୍ଡ ବିହନ ଓ ୧୮୮୨ କ୍ୱିଣ୍ଟାଲ ପ୍ରମାଣୀକୃତ ବିହନ ଉତ୍ପାଦନ ହୋଇଥିବା ଓୟୁଏଟି ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ‌ବୈଠକରେ ସୂଚନା ଦିଆଯାଇଛି।

ଗତ ଦୁଇ ଦିନ ଧରି ବିଶ୍ୱବିଦ୍ୟାଳୟର ଏମ୍‌.ଏସ୍‌ ସ୍ୱାମୀନାଥନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ। କୃଷି ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ କଣ୍ଡୁରି ଚରଣ ବାରିକ, ସମ୍ପ୍ରସାରଣ ଅଧ୍ୟକ୍ଷ ଲଳିତ ମୋହନ ଗଡ଼ନାୟକଙ୍କ ସମେତ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର