ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ମହାବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଲାଗି ଆସନ୍ତା ୨୦ ତାରିଖଠାରୁ ଓୟୁଏଟି ୱେବସାଇଟ୍‌ରେ ପ୍ରସ୍‌ପେକ୍ଟସ୍‌ ଉପଲବ୍ଧ ହେବ। ମେ’ ୨୦ରୁ ଜୁନ୍‌ ୨୭ ମଧ୍ୟରେ ଆଗ୍ରହୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ଆପ୍ଲିକେସନ ଫର୍ମ-୧ ଦାଖଲ କରିବେ। ଜୁନ୍‌ ୨୮ ସୁଦ୍ଧା ପେମେଣ୍ଟ ଦାଖଲ କରିପାରିବେ। ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଲାଗି ଆଡମିଟ୍‌ କାର୍ଡ ଜାରି ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଅଗଷ୍ଟ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ କରାଯିବ। ଚୂଡ଼ାନ୍ତ ତାରିଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ଓୟୁଏଟି ୱେବସାଇଟ୍‌ରେ ପ୍ରକାଶ କରାଯିବ। ଅନ୍‌ଲାଇନ୍‌ରେ ଆପ୍ଲିକେସନ୍‌ ଫର୍ମ-ବି ଦାଖଲର ଅବଧି ଜୁଲାଇ ୨୭ରୁ ଅଗଷ୍ଟ ୨୨ ମଧ୍ୟରେ ଦାଖଲ କରିହେବ।

Advertisment

ଓୟୁଏଟି ୱେବସାଇଟ୍‌ www.ouat.nic.in ରୁ ଛାତ୍ରଛାତ୍ରୀ ଆପ୍ଲିକେସନ ଫର୍ମ-ଏ ପାଇପାରିବେ। ସଠିକ୍‌ ଇ-ମେଲ୍‌ ଆଇଡି, ମୋବାଇଲ୍‌ ନମ୍ବର ସହ ଅନ୍‌ଲାଇନ୍‌ରେ ୧୫୦୦ ଟଙ୍କା ଫି’ ଦାଖଲ କରି ଫର୍ମପୂରଣ କରିବେ। ବିନା ଫି’ରେ ଦାଖଲ ହୋଇଥିବା ଆପ୍ଲିକେସନ୍‌ ଫି’କୁ ବାତିଲ୍‌ କରାଯିବ। ପଞ୍ଜୀକୃତ ଇ-ମେଲ୍ ଆଇଡି ଓ ମୋବାଇଲ୍‌ ନମ୍ବର ବ୍ୟବହାର କରି ଛାତ୍ରଛାତ୍ରୀ ଫର୍ମ-ବି ପୂରଣ କରିପାରିବେ। ଫର୍ମ ପୂରଣ କରିବା ପୂର୍ବରୁ ଛାତ୍ରଛାତ୍ରୀ ୟୁଜି ପ୍ରୋସପେକ୍ଟସ୍‌-୨୦୨୨-୨୩କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ପୂର୍ବବର୍ଷଗୁଡ଼ିକର ପ୍ରବଶିକା ପରୀକ୍ଷାର ପ୍ରଶ୍ନପତ୍ର ଉପଲବ୍ଧ କରାଯାଇଛି। ଓୟୁଏଟି ଏକାଡେମିକ-୧ ସେକ୍ସନରେ ଛାତ୍ରଛାତ୍ରୀ ପ୍ରତିବର୍ଷ ପିଛା ୩୦ ଟଙ୍କା ଜମା କରି ଜୁଲାଇ ୨୫ସୁଦ୍ଧା ଏହାକୁ ପାଇ ପାରିବେ।